ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ: ଭାସିଗଲେ ୪ ଛାତ୍ରୀ

ମୁମ୍ବାଇ : ମୁମ୍ବାଇରେ ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ମୂଷଳ ଧାରାର ବର୍ଷା ଶନିବାରେ ମଧ୍ୟ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ରିବାବର ପର୍ଯ୍ୟନ୍ତ ରେଡ ଆଲର୍ଟ ଜାରି କରାଯାଇଛି। ମୁମ୍ବଇ ସହରରେ ଶନିବାର ବର୍ଷା ଜନିତ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ନିଖୋଜ ଅଛନ୍ତି। ସେହପରି ନଭୀ ମୁମ୍ବଇ ଡ୍ରାଇଭିଙ୍ଗ ରେଂଜ ନିକଟ ଝରଣାରେ ୪ ଜଣ ଛାତ୍ରୀ ଭାସିଯାଇଛନ୍ତି। ବର୍ଷାରେ ପୂରା ମୁମ୍ବାଇ ଉବୁଟୁବୁ ହେଉଛି। ଉଚ୍ଚ ଜୁଆର ଏବଂ ଜଳସ୍ତର ବୃଦ୍ଧି ଯୋଗୁଁ କେତେକ ସ୍ଥାନରେ ଲୋକାଲ ରେଳ ସେବାକୁ ବାତିଲ କରିଦିଆଯାଇଛି। କୁର୍ଲା-ଚୁନାଭଟ୍ଟି ରାଜପଥ, କୁର୍ଲା-ସାୟନ ଲାଇନ ରାଜପଥ ଜଳାର୍ଣ୍ଣବ ହୋଇ ରହିଥିବାରୁ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ ନଭୀ ମୁମ୍ବାଇ ଖାରଘର ପାଣ୍ଡଭକାଡ଼ା ପାହାଡ଼ ଡ୍ରାଇଭିଂ ରେଂଜକୁ ୭ ଜଣ ଛାତ୍ରଛାତ୍ରୀ ଶନିବାର ସକାଳେ ପିକନିକ କରିବାକୁ ଆସିଥିଲେ। ସେମାନେ ସକାଳ ପ୍ରାୟ ୧୧ଟା ବେଳେ ପାହାଡ଼ ତଳ ଝରଣା କୂଳରେ ଗାଧୋଉଥିଲାବେଳେ ଝରଣାରେ ହଠାତ ବର୍ଷା ପାଣି ଆସି ସେମାନଙ୍କୁ ଭସାଇ ନେଇଥିଲା। ଅଗ୍ନିଶମ ବିଭାଗ ଖୋଜାଖୋଜି କରି ୪ ଜଣଙ୍କ ଶବ ଜବତ କରିଛି। ୩ ଜଣଙ୍କୁ ସ୍ଥାନୀୟ ଲୋକେ ରକ୍ଷା କରିବାରେ ସଫଳ ହୋଇଛନ୍ତି। ବର୍ଷା ଯୋଗୁଁ ଝରଣା ଭୟଙ୍କର ରୂପ ଧାରଣ କରିଛି।