ଯୁବକଙ୍କୁ ମାରିବା ଓ ପରିସ୍ରା ପିଆଇବା ଘଟଣା: ଉଚିତ୍ କାର୍ଯ୍ୟାନୁଷ୍ଠାନ ହେବ, ଜଣେ ଗିରଫ ବୋଲି କହିଲେ ଏସପି

ଖୋର୍ଦ୍ଧା: ଖୋର୍ଦ୍ଧା କାଇପଦରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ପରେ ତାଙ୍କୁ ପରିସ୍ରା ପିଆଇବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ଏହାର ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଘଟଣାର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଘଯଣାରେ ସାମିଲ ଥିବା ଜଣେ ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ସଦର ଥାନା ପୋଲିସ ଗିରଫ କରିଥିବା ନେଇ ଏସପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।

ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖୋର୍ଦ୍ଧା ସଦର ଥାନା ପୋଲିସ ହାତରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅନ୍ୟ ଜଣେ ଫେରାର ହୋଇଯାଇଛି । କାଇପଦରର ଜଣେ ଅଭିଯୁକ୍ତ ଯୁବକ ରାଜେନ୍ଦ୍ର ଭୂୟାଁ ଗିରଫ ହୋଇଥିବା ବେଳେ କନ୍ତିଆ ପାଲଟାସିଂହ ଫେରାର ଅଛି । କନ୍ତିଆକୁ ପୋଲିସ ଖୋଜୁଥିବା ଜଣାପଡ଼ିଛି । ଏଭଳି ଘଟଣା ଘଟାଉଥିବା ଲୋକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ସଦର ଥାନା କାଇପଦରର ୨ଜଣ ଯୁବକଙ୍କ ସହ ବଙ୍ଗୀଦା ଗାଁର ଜଣେ ଯୁବକଙ୍କ ସହ ପୂର୍ବରୁ ଶତ୍ରୁତା ରହିଥିଲା । ତେବେ ଗତ ୧୮ ତାରିଖରେ ୨ଜଣ ଯୁବକ ବଙ୍ଗୀଦା ଗାଁର ଯୁବକଙ୍କୁ ତାଙ୍କ ଗାଁରୁ ଠାଇ ନେଇ କାଇପଦରରେ ନଡ଼ିଆ ଗଛରେ ବାନ୍ଧି ପିଟିଥିଲେ । ଯୁବକଙ୍କୁ ଗଛରେ ବାନ୍ଧି ଲାତ ଗୋଇଠା ମୁଥ ସହ ଠେଙ୍ଗା, ବହ୍ଲା ଓ କାଠ ଫାଳିଆରେ ନିର୍ଧୂମ ପିଟିଥିଲେ ୨ଯୁବକ । ଘଟଣା ସମୟରେ ଗାଁ ଲୋକେ ଉପସ୍ଥିତ ଥିଲେ ମଧ୍ୟ କେହି ଉଁ କି ଚୁଁ କରି ନଥିଲେ । କିନ୍ତୁ ସବୁଠାରୁ କଷ୍ଟଦାୟକ ଥିଲା ସେହି ସମୟ ଯେତେବେଳେ ମାଡ଼ ଖାଇ ପାଇଁ ପାଇଁ ପୀଡ଼ିତ ଯୁବକ ବିକଳ ହୋଇଥିଲେ ସେତେବେଳେ ମାଡ଼ ମାରୁଥିବା ଯୁବକ ତାଙ୍କ ମୁହଁରେ ପରିସ୍ରା କରିଦେଇଥିଲେ । ୧୮ ତାରିଖର ଏହି ମାଡ଼ ଭିଡ଼ିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଂଚଳରେ ହଇଚଇ ସୃଷ୍ଟି ହୋଇଥିଲା  ।