ରାସ୍ତାରେ ଯୁବକଙ୍କୁ ହାଣିଦେଲେ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ହାଣି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ଚିନ୍ମୟ ସାହୁ। ତାଙ୍କ ଘର ଦେଉଳି ଗାଁରେ। ଚିନ୍ମୟଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଚିନ୍ମୟ ନିଜ ବାଇକ୍‌ରେ ଯାଉଥିବା ବେଳେ ବେଗୁନିଆ ଥାନା ଓ ଦେଉଳି ଗାଁ ମଝିରେ ହଠାତ୍‌ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ସେ ବାଇକରୁ ପଡ଼ି ଯାଇଥିଲେ। ଏହାପରେ ଦୁର୍ବୃତ୍ତ ତାଙ୍କୁ ହାଣି ହତ୍ୟା କରିବା ପରେ ଫେରାର ହୋଇଯାଇଛି। ଘଟଣା ସ୍ଥଳରେ ପୁଲିସ୍‌ ପହଂଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।