ଏକତରଫା ପ୍ରେମର ପରିଣତି; ଯୁବତୀଙ୍କ ଗଳାକାଟି ହତ୍ୟାକଲା ଯୁବକ

ଖୋର୍ଦ୍ଧା: ତେବେ ଏକତରଫା ପ୍ରେମ କରି ଜଣେ ଯୁବକ ବିଫଳ ହେବା ଫଳରେ ଯୁବତୀଙ୍କ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ଉକ୍ତ ଯୁବତୀ ଜଣଙ୍କ ବାଲୁଗାଁ କଲେଜର ଛାତ୍ରୀ ।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ଗଙ୍ଗନଗରରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ବହୁଦିନ ହେବ ପ୍ରେମ ନିବେଦନ କରି ହଇରାଣ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ସେହି ଯୁବକଜଣକ ଯୁବତୀଙ୍କ ଘର ଭିତରେ ପଶି ତାଙ୍କୁ ପୁଣି ପ୍ରେମ ନିବେଦନ କରିଥିଲେ । ଯୁବତୀଙ୍କୁ ଜବରଦସ୍ତ ମଧ୍ୟ କରିଥିଲେ । କିନ୍ତୁ ଯୁବତୀଜଣକ ତାଙ୍କ କଥାରେ ରାଜି ନ ହେବାରୁ ଯୁବତୀଙ୍କ ଗଳାକାଟି ଦେଇଥିଲେ । ଯୁବତୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପରିବାର ଲୋକେ ଦେଖି ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ନେଇଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପ୍ରେମରେ ବିଫଳ ହେବାରୁ ଜଣେ ହତାଶିଆ ପ୍ରେମିକ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସାଇଂଟିଫିକ ଟିମ ସହ ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ମଧ୍ୟ ଉପସ୍ଥିତ ଅଛନ୍ତି । ଗତକାଲି ଠାରୁ ଅଭିଯୁକ୍ତ ଯୁବକକୁ ବାଲୁଗାଁ ପୋଲିସ ଅଟକ ରଖିଛି ।