ପ୍ରେମିକ ଉପରକୁ ଫିଙ୍ଗିଲା ଏସିଡ୍‌ ପ୍ରେମିକା

ନୂଆପଡ଼ା : ଦୀର୍ଘ ୩ ବର୍ଷର ପ୍ରେମ ସମ୍ପର୍କକୁ ଭୁଲିଗଲା ପ୍ରେମିକ! ହେଲେ ପ୍ରେମିକକୁ ଭୁଲି ପାରିଲାନି ପ୍ରେମିକା। ସେ ଚାହୁଁଥିଲେ ପ୍ରେମିକଙ୍କୁ ବାହା ହୋଇ ଘର ସଂସାର କରିବେ। ସେଥିପାଇଁ ପ୍ରେମିକଙ୍କୁ ବାରମ୍ୱାର ବୁଝାଉ ଥିଲେ। ମାତ୍ର ଏଥିରେ ରାଜି ନହେବାରୁ ପ୍ରତିଶୋଧ ପରାୟଣା ହୋଇ ପଡ଼ିଲା ପ୍ରେମିକା। ଆଉ ତା’ପରେ ନିଜର ଦୁଇ ସାଥୀଙ୍କ ସହ ମିଶି ପ୍ରେମିକଙ୍କ ଉପରେ ଏସିଡ୍‌ ଫିଙ୍ଗିଲା। ଏପରି ଲୋମହର୍ଷଣକାରୀ ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକା ଓ ତାଙ୍କର ଦୁଇ ସାଥୀ(ଝିଅ)ଙ୍କୁ ଗିରଫ କରିଛି।

ଲଖନା ଥାନା ବଙ୍ଗାମୁଣ୍ତା ଗାଁର ଆଲୋକ କୁମାର ସାହୁ ଜଣେ ଯୁବତୀଙ୍କୁ ତିନି ବର୍ଷ ହେଲା ପ୍ରେମ କରୁଥିଲେ। ଏପରିକି ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପ୍ରେମିକାକୁ ପର କରି ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେବାକୁ ଯାଉଥିଲେ ଆଲୋକ। ଗତ ୧୦ ତାରିଖରେ ତାଙ୍କ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ନିର୍ବନ୍ଧ ସରିଥିଲା। ବାହାଘର ପାଇଁ ନିମନ୍ତ୍ରଣ ମଧ୍ୟ ସରିଥିଲା। ଏଥିପାଇଁ ବେଶ୍‌ ଖୁସି ଥିଲା ଆଲୋକ। କିନ୍ତୁ ପ୍ରେମିକା ଏକଥା ଜାଣିପାରି ରାଗରେ ଜର୍ଜରିତ ହୋଇଥିଲେ।

ଗତ ୭ ତାରିଖ ସନ୍ଧ୍ୟାରେ ଆଲୋକ ଗାଁକୁ ଫେରୁଥିଲେ। ଏ ସମ୍ପର୍କରେ ଜାଣିପାରି ପ୍ରେମିକା ରାସ୍ତା ଉପରେ ନିଜ ପ୍ରେମିକଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପ୍ରେମିକ ପ୍ରବର ପ୍ରେମିକାଙ୍କର କୌଣସି କଥା ଶୁଣିନଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକା ଓ ତାଙ୍କର ଦୁଇ ସାଙ୍ଗ ଆଲୋକଙ୍କ ଉପରେ ଏସିଡ୍‌ ମାଡ୍‌ କରିଥିଲେ। ଯାହାଫଳରେ ଆଲୋକଙ୍କ ଶରୀରରେ ପୋଡ଼ି ଯାଇଥିଲା।

ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ମଧ୍ୟ ସେ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଗତକାଲି ପ୍ରେମିକା ଓ ତାଙ୍କର ଦୁଇ ସାଙ୍ଗଙ୍କୁ ଗିରଫ କରିଛି। ସେମାନେ ଏସିଡ୍‌ ଫିଙ୍ଗିଥିବା ପୁଲିସ ପାଖରେ ସ୍ୱୀକାର କରିଛନ୍ତି। ପ୍ରତାରିତ ହେବା ପରେ ପ୍ରେମିକା ଏସିଡ୍‌ ଫିଙ୍ଗିଥିବା କହିଛନ୍ତି। ଏହି ଘଟଣା ଏବେ ନୂଆପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।