ବାପା-ମା’ ହେଲେ ଶ୍ରମିକ, ପୁଅ ହେଲେ ଦେଶର ପ୍ରଥମ ସର୍ବକନିଷ୍ଠ ଆଇପିଏସ୍ ଅଫିସର

ରାଜକୋଟ: ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ । ଯାହାର ପ୍ରମାଣ ଦେଇଛନ୍ତି ଗୁଜରାଟ ବାସିନ୍ଦା ହାସନ୍ ସଫିନ୍ । ୨୨ ବର୍ଷୀୟ ହାସନ୍  ଯେ କି ନିଜ ଇଚ୍ଛାଶକ୍ତି ବଳରେ ସମସ୍ତ କଷ୍ଟକୁ ପଛରେ ପକାଇ ପାଲଟିଛନ୍ତି ଦେଶର ସର୍ବକନିଷ୍ଠ ଆଇପିଏସ୍ । ସେ ଚଳିତମାସ ୨୩ରେ ଜାମନଗରରେ ଆସିଷ୍ଟାଂଟ ସୁପରିଟେଣ୍ଡଂଟ ଅଫ୍ ପୋଲିସ(ଏଏସପି) ଭାବେ ଯୋଗଦାନ କରିବେ । ପ୍ରକାଶ ଯେ, ସଫିନ୍ ଙ୍କ ବାପା ମୁସ୍ତଫା ହସନ ଓ ମା’ ନସୀମାବାନୁ ଏକ କାରଖାନାରେ ଶ୍ରମିକ ଭାବେ କାମ କରନ୍ତି । ପରିବାରର ଆର୍ଥିକ ସ୍ଥିତି ଖରାପ ଥାଇ ବି ନିଜ ଇଚ୍ଛାଶକ୍ତି ଏବଂ ଉଦ୍ୟମ ଫଳରେ ସେ ୟୁପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଏଭଳି ସଫଳତାର ପାହାଚ ଚଢ଼ିପାରିଛନ୍ତି ।

ହାସନଙ୍କ ଘର ଗୁଜରାଟର ପାଲନପୁର ଜିଲ୍ଲାର କନୋଦର ଗ୍ରାମରେ। ବାପା-ମା’ ଶ୍ରମିକ ହୋଇଥିବାରୁ ପରିବାରର ରୋଜଗାର ଥିଲା ସୀମିତ।ଏପରି ସ୍ଥଳେ ପାଠପଢ଼ା ପାଇଁ ଅର୍ଥ ବାଧକ ହୋଇଥିଲା। କିନ୍ତୁ ଆଇଏଏସ୍ ହେବାର ଅଦମ୍ୟ ଆଗ୍ରହ ଯୋଗୁଁ ସବୁ ପ୍ରକାର କଷ୍ଟର ସାମ୍ନା କରି ପାଠ ପଢ଼ା ଜାରି ରଖିଥିଲେ ହସନ। ପୁଅର ପାଠପଢ଼ା ଖର୍ଚ୍ଚ ଉଠାଇବା ଲାଗି ରାତିରେ ମା’ ନସୀମାବାନୁ ବିଭିନ୍ନ ବାହାଘର ଭୋଜିି ଓ ରେସ୍ତୋରାଁକୁ ରୁଟି ତିଆରି କରି ଯୋଗାଉ ଥିଲେ।

ଏପରି ସଂଘର୍ଷ ଭିତରେ ହସନ ସଫିନ୍ ଗତ ବର୍ଷ ୟୁପିଏସସି ପରୀକ୍ଷା ଦେଇ ୫୭୦ରାଙ୍କରେ ରହନ୍ତି। ମାତ୍ର ତାଙ୍କୁ ଆଇଏଏସ ବଦଳରେ ଆଇପିଏସ୍ ଚାକିରି ଲାଗି ମନୋନୀତ କରାଯାଏ। ଆଇଏଏସ ହେବାର ଆଗ୍ରହ ଥିବାରୁ ସେ ପୁଣି ଥରେ ପରୀକ୍ଷା ଦିଅନ୍ତି, କିନ୍ତୁ କୃତକାର୍ଯ୍ୟ ହୁଅନ୍ତି ନାହିଁ। ଶେଷରେ ଆଇପିଏସ୍ ଟ୍ରେନିଂ ଶେଷ କରି ଏବେ ହସନ୍ ଏବେ ଏଏସପି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କୁ ମାତ୍ର ୨୨ବର୍ଷ ବୟସରେ ହୋଇଥିବାରୁ ସେ ଦେଶର ସର୍ବକନିଷ୍ଠ ଆଇପିଏସ୍ ଅଧିକାରୀ ହେବାର ସୌଭାଗ୍ୟ ପାଇଛନ୍ତି।