ସାନଭାଇର ଟାଙ୍ଗିଆ ଚୋଟରେ ପରିବାରର ୪ଜଣ ମୃତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ ଦେଉଲହୂଡି ଗ୍ରାମରେ ଜମିବାଡିକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ । ସାନଭାଇ କାଳୀ ମୁଣ୍ଡାର ଟାଙ୍ଗିଆ ଚୋଟରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ଟାଙ୍ଗିଆରେ ବଡଭାଇ, ଭାଉଜ, ଝିଆରୀ ସହ ପୁତୁରାକୁ ହାଣି ହତ୍ୟା କରିଛି ଅଭିଯୁକ୍ତ । ମୃତକ ହେଲେ ବଡ଼ଭାଇ କାଣ୍ଡେ ମୁଣ୍ଡା, ସ୍ତ୍ରୀ ସିମୁଳି ମୁଣ୍ଡା, ୭ ବର୍ଷର ଝିଅ ମଲାନି ମୁଣ୍ଡା ଓ ୫ ବର୍ଷର ପୁଅ ମାରା ମୁଣ୍ଡା ।

ଗତକାଲି ରାତିରେ କାଳୀ ମୁଣ୍ଡା ଓ କାଣ୍ଡେଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କାଳୀ ମୁଣ୍ଡା ପ୍ରଥମେ କାଣ୍ଡେ ମୁଣ୍ଡାଙ୍କୁ ଟାଙ୍ଗିଆରେ ବେକ ଓ ମୁଣ୍ଡକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏହାପରେ ତା’ଭାଉଜ ଓ ତାଙ୍କ ପୁଅ ଓ ଝିଅକୁ ବେକରେ ଟାଙ୍ଗିଆ ଚୋଟ ପକାଇ ହତ୍ୟା କରିଥିଲା। ଏହି ଘଟଣା ପରେ ଆଜି ସକାଳେ ବଣାଇଁ ଥାନାରେ କାଳୀ ମୁଣ୍ଡା ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।

ଆଜି ସକାଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ବଣାଇଁ ଥାନା ଏଏସଆଇ ବ୍ରଜ କିଶୋର ଦାସ ପହଂଚ ମୃତଦେହ ଜବତ କରିଥିଲେ। ଏହି ଘଟଣାରେ କାଳୀ ମୁଣ୍ଡାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଏବେ ଅଧିକ ତଦନ୍ତ ଚାଲିଥିବା ନେଇ ଏଏସଆଇ ବ୍ରଜ କିଶୋର ଦାସ ସୂଚନା ଦେଇଛନ୍ତି।