ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟା ଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବିଶ୍ୱର ସବୁଠାର ଉଚ୍ଚତମ ପ୍ରତିମୂର୍ତ୍ତି (ଷ୍ଟାଚ୍ୟୁ) ନିର୍ମାଣ କରିବା ପାଇଁ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆଜି ଉତ୍ତରପ୍ରଦେଶ ଠାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଅଯୋଧ୍ୟା ଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ୨୫୧ ମିଟର ଉଚ୍ଚତା ବିଶିଷ୍ଟ ଏକ ସଦୃଶ୍ୟ ଏବଂ ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ। ୧୦୦ ଏକର ପରିମିତ ଜମି ଉପରେ ଶ୍ରୀରାମଙ୍କର ଏହି ପ୍ରସ୍ତାବିତ ସୁଉଚ୍ଚ ପ୍ରତିମୂର୍ତ୍ତିର ସ୍ଥାପନା କରାଯିବ। ଏବଂ ଶ୍ରୀରାମଙ୍କର ଏହି ପ୍ରତିମୂର୍ତ୍ତି ସମଗ୍ର ବିଶ୍ୱରେ ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ହେବ। ଏହି ପ୍ରତିମୂର୍ତ୍ତିର ନିର୍ମାଣ ପାଇଁ ଗୁଜୁରାଟ ଠାରୁ ବୈଷୟିକ ସହାୟତା ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ୧୦୦ ଏକର ପରିମିତ ଜମି ଉପରେ ସ୍ଥାପନା ହେବାକୁ ଥିବା ଏହି ପ୍ରତିମୂର୍ତ୍ତି ନିକଟରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଡିଜିଟାଲ ମ୍ୟୁଜିୟମ, ଇଣ୍ଟରପ୍ରିଟେସନ୍ ସେଣ୍ଟର, ଲାଇବ୍ରେରୀ, ପାର୍କିଂ ସୁବିଧା ସହ ଫୁଡ୍ ପ୍ଲାଜାର ମଧ୍ୟ ନିର୍ମାଣ କରାଯିବ। ଏହି ସମସ୍ତ କାର୍ଯ୍ୟର ତଦାରଖ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ବିଭାଗ ମଧ୍ୟ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।
ଉଲ୍ଲେଖଯୋଗ୍ୟ, ସଂପ୍ରତି ନ୍ୟୁୟର୍କ ଠାରେ ଥିବା ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଉଚ୍ଚତା ୯୩ ମିଟର ହୋଇଥିବା ବେଳେ, ମୁମ୍ବାଇରେ ଥିବା ବି ଆର ଆମ୍ବେଦକରଙ୍କ ଷ୍ଟାଚ୍ୟୁର ଉଚ୍ଚତା ହେଉଛି ୧୩୭.୨ ମିଟର, ଗୁଜୁରାଟରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉଚ୍ଚତା ହେଉଛି ୧୮୩ ମିଟର, ଚୀନ୍ରେ ଥିବା ଗୌତମ ବୁଦ୍ଧଙ୍କ ଷ୍ଟାଚ୍ୟୁର ଉଚ୍ଚତା ହେଉଛି ୨୦୮ ମିଟର, ମୁମ୍ବାଇ ଠାରେ ଥିବା ଛତ୍ରପତି ଶିବାଜୀ ମହାରାଜଙ୍କ ଷ୍ଟାଚ୍ୟୁର ଉଚ୍ଚତା ହେଉଛି ୨୧୨ ମିଟର। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ଅଯୋଧ୍ୟା ଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ୨୫୧ ମିଟର ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ନିର୍ମାଣ କରାଯିବ, ଯାହାକି ହେବ ବିଶ୍ୱର ସବୁଠାର ଉଚ୍ଚତମ ଷ୍ଟାଚ୍ୟୁ (ପ୍ରତିମୂର୍ତ୍ତି) ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।