ବିଯୁକ୍ତ ୨୦ ଡିଗ୍ରୀ ସେଲସିୟସରେ ଯୋଗ କଲେ ଯବାନ

ନୂଆଦିଲ୍ଲୀ: ଯୋଗ ଶରୀର ଓ ମନକୁ ସୁସ୍ଥ ଏବଂ ଫୂର୍ତ୍ତି ରଖେ। ବିଭିନ୍ନ ରୋଗ ସହିତ ଲଢ଼ିବାକୁ ଶକ୍ତି ଯୋଗାଏ। ମଣିଷର ସୃଜନଶୀଳତାର ବିକାଶରେ ସହାୟକ ହୋଇଥାଏ। ସମସ୍ତଙ୍କ ପାଇଁ ଯୋଗ ଏବଂ ଯୋଗ ପାଇଁ ସମସ୍ତେ। ଏହି ବାର୍ତ୍ତା ନେଇ ବିଶ୍ଵବ୍ୟାପୀ ଜୁନ ୨୧କୁ ଯୋଗ ଦିବସ ଭାବେ ପାଳନ କରାଯାଇଆସୁଛି। ଶୁକ୍ରବାର ଏହି ଅବସରରେ ସାରା ଦେଶ ଯୋଗମୁଦ୍ରାରେ ରହିଛି। ଦେଶବ୍ୟାପୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ, ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନ ପକ୍ଷରୁ ଯୋଗ ଦିବସ ପାଳନ କରାଯାଉଛି। ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଓ ବ୍ୟକ୍ତିବିଶେଷ ଏଥିରେ ସାମିଲ ହୋଇଛନ୍ତି।


ରୋହତଙ୍ଗ ପାସ୍‌ ନିକଟରେ ୧୪ ହଜାର ଫୁଟ ଉଚ୍ଚ ବରଫାବୃତ୍ତ ପାହାଡ଼ ଉପରେ ବିଯୁକ୍ତ(-) ୧୦ ଡିଗ୍ରୀ ସେଲସିୟସରେ ଲୋକମାନେ ଯୋଗ କରି ଏହି ଦିବସକୁ ପାଳନ କରିଛନ୍ତି। ସେହିପରି ଆଇଟିବିପି ଯବାନମାନେ ଉତ୍ତର ଲଦାଖର ୧୮ ହଜାର ଫୁଟ ଉଚ୍ଚ ପାହାଡ଼ ଉପରେ ବିଯୁକ୍ତ(-) ୨୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଯୋଗ କରିଛନ୍ତି। ଏହାବ୍ୟତୀତ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ସଂସଦର ଅନ୍ୟ କର୍ମଚାରୀମାନେ ଯୋଗ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଫ୍ରାନ୍ସ ଦୂତାବାସରେ ମଧ୍ୟ ଯୋଗ ଦିବସ ଆୟୋଜନ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ନୂଆଦିଲ୍ଲୀଠାରେ ଯୋଗମୁଦ୍ରାରେ ଦେଖିବାକୁ ମିଳିଛି। ସେହିପରି ଡିଆରଡିଓ ମୁଖ୍ୟ ଡ. ଜି ସତୀଶ ରେଡ୍ଡୀ ମଧ୍ୟରେ ଡିଆରଡିଓଠାରେ ଯୋଗ କରିଥିବା ଦେଖିବାକୁ ମିଳିଛି।