ଆଜି ବିଶ୍ୱ ମାନବାଧିକାର ଦିବସ

ଭୁବନେଶ୍ୱର : ଆଜି ବିଶ୍ୱ ମାନବାଧିକାର ଦିବସ। ମାନବାଧିକାରର ସୁରକ୍ଷା ପ୍ରତି ଲୋକମାନଙ୍କୁ ‌ସଚେତନ କରାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ୧୯୪୮ ମସିହାରେ ମିଳିତ ଜାତସିଂଘ ପକ୍ଷରୁ ମାନବାଧିକାର ନେଇ ସାର୍ବଜନୀନ ଘୋଷଣାନାମା ଜାରି ହୋଇଥିଲା। ଏହା ପରଠାରୁ ବିଶ୍ୱବ୍ୟାପୀ ଏହା ପାଳିତ ହୋଇଆସୁଛି। ଚଳିତବର୍ଷ ବିଶ୍ୱ ମାନବାଧିକାର ଦିବସର ବାର୍ତା ରହିଛି ‘ମାନବାଧିକାର ପାଇଁ ଛିଡ଼ା ହେବା’।

ଦୀର୍ଘ ୭୧ବର୍ଷର ଯାତ୍ରା ଭିତରେ ମାନବାଧିକାରର ପରିସର ବେଶ୍ ବ୍ୟାପକ ହୋଇଛି। ଏବେ ଅନେକ କ୍ଷେତ୍ର ମାନବାଧିକାର ପରିସରଭୁକ୍ତ ହୋଇଛି। ଏହା ସତ୍ୱେ ମଧ୍ୟ ମାନବାଧିକାର ଉଲ୍ଲଂଘନ କମୁନାହିଁ। ଜାଣତରେ ହେଉ ବା ଅଜାଣତରେ ମାନବଧିକାରର ଉ‌ଲ୍ଲଂଘନ ହେଉଛି। ଅନେକ କ୍ଷେତ୍ରରେ ଏଥିପାଇଁ ଲୋକଙ୍କୁ ନ୍ୟାୟ ମିଳିପାରୁ ଥିବା ବେଳେ ଅନେକଙ୍କୁ ଏଥିରେ ନ୍ୟାୟ ମିଳିବାରେ ବିଳମ୍ବ ହେଉଛି।

ମାନବାଧିକାରର ସୁରକ୍ଷା ପାଇଁ ଓଡ଼ିଶାରେ ରାଜ୍ୟ ମାନବାଧିକାର କମିସନ ଗଠନ କରାଯାଇଛି। ରାଜ୍ୟରେ ଯେଉଁଠାରେ ମାନବାଧିକାର ଉଲ୍ଲଂଘନ ହେଉଥିବା ନଜରକୁ ଆସୁଛି ସେ କ୍ଷେତ୍ରରେ ଆବଶ୍ୟକ ପଡ଼ିଲେ କମିସନ ନିଜ ଆଡ଼ୁ ମଧ୍ୟ ମାମଲା ରୁଜୁ କରୁଛନ୍ତି। ଓଡ଼ିଶା କ୍ଷେତ୍ରରେ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଏବେ ବି ୧୫ହଜାରରୁ ଅଧିକ ମାମଲା ବିଚାରାଧୀନ ରହିଛି। ଏପରିକି ୨୦୧୪/୧୫ ମସିହାରେ ଅଭିଯୋଗ ହୋଇଥିବା ମାମଲା ଗୁଡ଼ିକର ବିଚାର ଆଜି ପର‌୍ୟ୍ୟନ୍ତ ହୋଇପାରି ନାହିଁ। ମାମଲା ଗୁଡ଼ିକର ବିଚାରରେ ବିଳମ୍ବ ପାଇଁ ସରକାରୀ ଉଦାସୀନତା ଓ ବ୍ୟବସ୍ଥା ମଧ୍ୟ ଦାୟୀ।

ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋଙ୍କ ମତ‌ରେ, କମିସନଙ୍କ ନିକଟରେ କର୍ମଚାରୀଙ୍କ ଘୋର ଅଭାବ ରହିଛି। କମିସନରେ ୬ବର୍ଷ ଧରି ଅଧ୍ୟକ୍ଷ ପଦ ଓ ୨ବର୍ଷ ଧରି ସଦସ୍ୟ ପଦବି ଖାଲି ରହିଥିଲା। ଯଦିଓ ନିକଟରେ କମିସନଙ୍କ ଅଧ୍ୟକ୍ଷ ଓ ଅନ୍ୟ ୨ଜଣ ସଦସ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି, ତଥାପି ମାମଲାର ପଞ୍ଜୀକରଣଠାରୁ ଆରମ୍ଭ କରି ଶୁଣାଣି କରିବା ପର୍ଯ୍ୟନ୍ତ ଯେଉଁ ଲୋକବଳର ଆବଶ୍ୟକ ତାହା କାର୍ଯ୍ୟାଳୟରେ ନାହାନ୍ତି। ଏବେ ବି କମିସନଙ୍କ କାର‌୍ୟ୍ୟାଳୟରେ ୩୦ଭାଗ କର୍ମଚାରୀ ପଦ ଖାଲି ପଡ଼ିଛି। କମିସନଙ୍କ ନିକଟକୁ ଯେଉଁ ଅଭିଯୋଗ ଆସୁଛି ତାହା ୭ଦିନ ଭିତରେ ଖଣ୍ଡପୀଠଙ୍କ ନିକଟରେ ପହଞ୍ଚିବା କଥା, ମାତ୍ର ତାହା ହୋଇପାରୁ ନାହିଁ। ନିକଟରେ ହାଇଦ୍ରାବାଦ ଏନକାଉଂଟର  ଉପରେ ରାଜ୍ୟ ଆଇନ ମନ୍ତ୍ରୀ ଦେଇଥିବା ବୟାନ ଦର୍ଶାଉଛି ଯେ, ତାଙ୍କର କୋର୍ଟ ଉପରେ ଭରସା ନାହିଁ। ତେଣୁ ମାନବାଧିକାରର ସୁରକ୍ଷା ଓ ଏହାର ପରିସର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଯଥେଷ୍ଟ ଆଗ୍ରହ ନାହିଁ ବୋଲି ଶ୍ରୀ କାନୁନ୍‌ଗୋ କହିଛନ୍ତି। ରାଜ୍ୟ ମାନବାଧିକାର କମିସନ ସଦସ୍ୟ ଅସୀମ ଅମିତାଭ ଦାଶ କହିଛନ୍ତି, ଜନ୍ମ ହେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିର ମାନବାଧିକାର ରହିଛି। ମର୍ଯ୍ୟଦାଜନକ ଭାବେ ବଞ୍ଚିବା ଜଣେ ଲୋକର ଅଧିକାର। କମିସନଙ୍କ ନିକଟରେ ପଡ଼ି ରହିଥିବା ମାମଲାଗୁଡ଼ିକୁ କ୍ୟାମ୍ପ କୋର୍ଟ ଜରିଆରେ ବିଚାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତରେ ଖବରକାଗଜରେ ସୂଚନା ପ୍ରଦାନ କରାଯିବ। ଆସନ୍ତାବର୍ଷଠାରୁ ଏହା ଆରମ୍ଭ କରାଯିବ। ନିକଟରେ କମିସନ ଦାୟିତ୍ୱ ଗ୍ରହଣ କରିବା ପରେ ପରିମଳ, ପୁଲିସର ମାତ୍ରାଧିକ କାର୍ଯ୍ୟକଳାପ, ପରିବେଶ ସଂପର୍କିତ ଓ ଟ୍ରାଫିକ୍ ସମସ୍ୟା ଭଳି ମାମଲା ହାତକୁ ନିଆଯାଇଛି। ଏ ସଂକ୍ରାନ୍ତରେ ସରକାରଙ୍କୁ ଯେଉଁ ନିର୍ଦେଶନାମା ଆବଶ୍ୟକ ତାହା ଦିଆଯାଇଛି। ଏବେ ବହୁ ସଂଖ୍ୟାରେ ଗରିବ ଲୋକ ନ୍ୟାୟ ପାଇଁ କମିସନଙ୍କ ଦ୍ୱାରସ୍ଥ ହେଉଛନ୍ତି ବୋଲି ଶ୍ରୀ ଦାଶ କହିଛନ୍ତି।