ଜାନୁଆରୀ ୧୧ରୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା, ଏଥର ବି ବଦଳିବେ କଂସ ମହରାଜ

ବରଗଡ : ଜାନୁୟାରୀ ୧୧ରୁ ୨୧ ପର୍ଯ୍ୟନ୍ତ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ହେବ ବୋଲି ସୋମବାର ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷ ଇନ୍ଦ୍ରମଣି ତ୍ରିପାଠୀଙ୍କ ସଭାପତିତ୍ୱରେ ଏହି ବୈଠକ ବସିଥିଲା । ବୈଠକରେ ଗତବର୍ଷର ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିବା ବେଳେ ଆଗାମୀ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ତ୍ରିପାଠୀ ଗୁରୁତ୍ୱାରୋପ କରିଥିଲେ ।

ତେବେ ଚଳିତବର୍ଷ ପୁଣି ଥରେ ବରଗଡ଼ ଧନୁଯାତ୍ରାର ମହାନାୟକ ମହାରାଜ କଂସ ଭୂମିକା ପାଇଁ କଳାକାର ପରିବର୍ତ୍ତନ କରାଯିବା ନେଇ ଆଲୋଚନା ହୋଇଥିଲା । ୭୦ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଆଉ ଦୁଇମାସ ଥିବାବେଳେ ସୋମବାର ସନ୍ଧ୍ୟାରେ କୋର୍ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ସମୟରେ ମଞ୍ଚ ଓ ଆଲୋକ ସାଜସଜ୍ଜା, ସାଉଣ୍ଡ ସିଷ୍ଟମ୍ ଉପରେ ବିଶଦ ଆଲୋଚନା ହୋଇଥିଲା । ସେହିପରି ଯାତ୍ରା କଳାକାରମାନଙ୍କ ଅଭିନୟରେ ଉକ୍ରଷତା ଆଣିବା ଏବଂ ଗତବର୍ଷ ଧନୁଯାତ୍ରା କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନଙ୍କୁ ପରିବର୍ତ୍ତନ କରାଯିବାକୁ ମଧ୍ୟ ଆଲୋଚନା ହୋଇଥିଲା ।

ଧନୁଯାତ୍ରାରେ ଅଭିନୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକର ମାନ ବୃଦ୍ଧି ଦିଗରେ ପ୍ରୟାସ କରାଯିବାର ଆବଶ୍ୟକତା ରହିଛି ବୋଲି ସମିତିର ସଦସ୍ୟା ସଂଗୀତା ପଣ୍ଡା ମତ ଦେଇଥିଲେ । ଆଗାମୀ ମାର୍ଗଶୀର ଶୁକ୍ଳ ପକ୍ଷର ଶୁଭ ଲଗ୍ନରେ ରାଜପୁରୋହିତଙ୍କ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ୭୦ତମ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ କରାଯିବ ବୋଲି ଆବାହକ ଶ୍ରୀ ସୁରେଶ୍ୱର ଶତପଥୀ ସୂଚନା ଦେଇଥିଲେ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ସାଂସଦ ଡ. ପ୍ରଭାସ ସିଂ, ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ସଭାପତି ତଥା ବରଗଡ଼ ଏସ୍ପି ମୁକେଶ କୁମାର ଭାମୁ, ଅତିରକ୍ତି ଏସ୍ପି ଯଶୋବନ୍ତ ସେନାପତି, ଅତିରିକ୍ତ ଜିଲ୍ଲାପାଳ ତପିରାମ ମାଝୀ, ଉପ ଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦ, ଡିଆଇପିଆରଓ କଲ୍ୟାଣୀ ଦାଶ, ଓକିଲ ସଂଘ ସଭାପତି ଅଶୋକ ଯୋଷୀ ଓ ସମ୍ପାଦକ ଲିପସିତ ମିଶ୍ର, ପୌର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ପ୍ରଭାତ ଆଦିତ୍ୟ ମିଶ୍ର, ଅନୁପ ଶତପଥୀ, ସୌଭାଗ୍ୟ ନାୟକ, ସୁନିଲ ପୁରୋହିତ, ସମୀର ପ୍ରଧାନ, ପ୍ରଶାନ୍ତ ମହାପାତ୍ର, ଅଶୋକ ବେହେରା, ରାଜେନ୍ଦ୍ର ସିକନ୍ଦର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ପ୍ରସିଦ୍ଧ ଢୋଲିଆ ରାଜକୁମାରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା । ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା ।