କାଉଣ୍ଟ ଡାଉନ ଆରମ୍ଭ : ହକି ବିଶ୍ୱ କପ୍ ପାଇଁ ତିଆରି ସରିଲା ଟ୍ରଫି,ଜାଣନ୍ତୁ କିଏ କେଉଁଠି କରୁଥିଲେ ତିଆରି

କଟକ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆସନ୍ତା ୨୮ରୁ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପାଇଁ ଟ୍ରଫି ତିଆରି କାର୍ଯ୍ୟ ଶେଷ ହୋଇଛି । କଟକର ବିଶିଷ୍ଟ ତାରକସି ଶିଳ୍ପୀ ପଙ୍କଜ ସାହୁଙ୍କ ତତ୍ତ୍ୱଧାନରେ ଦୀର୍ଘଦିନ ଧରି ଏହା ତିଆରି କରିବା ପରେ ଆଜି ସେହି ଟ୍ରଫିଗୁଡ଼ିକୁ ଶେଷ ସ୍ପର୍ଶ ଦେଇଛନ୍ତି । ଏଥିପାଇଁ ଆନନ୍ଦରେ ଆତ୍ମହରା ହୋଇ ପଡ଼ିଛନ୍ତି ଅଲିଶା ବଜାର ଷ୍ଟୋନୀ ରୋଡ୍ର ବାସିନ୍ଦା ପଙ୍କଜ । ସେ ଭାବବିହ୍ୱଳ ହୋଇ କହିଛନ୍ତି ଯେ, ‘ବିଶ୍ୱକପରେ ଖେଳାଳିମାନଙ୍କ ପାଇଁ ଟ୍ରଫି ତିଆରି କରିବାର ସୌଭାଗ୍ୟ ତାଙ୍କୁ ଯେ ମିଳିବ ସେ ଏହା କେବେ ଭାବିନଥିଲେ । ସରକାରଙ୍କ ପକ୍ଷରୁ ତାଙ୍କୁ ଟ୍ରଫି ତିଆରି କରିବା ପାଇଁ କୁହାଯାଇ ଏଥିପାଇଁ ପ୍ରଥମେ ମଡେଲ ପଠାଇବା ପାଇଁ ପରାମର୍ଶ ଦିଆଯାଇଥିଲା ।

ଏହା ମନୋନୀତ ହେବାପରେ ହକି ବିଶ୍ୱକପ୍ରେ ଭାଗ ନେଉଥିବା ୧୬ଟି ଦେଶର ଖେଳାଳିମାନଙ୍କ ପାଇଁ ୨୭୫ଟି ଟ୍ରଫି ତିଆରି କରିବାକୁ ତାଙ୍କୁ ନିର୍ଦ୍ଦେଶ ମିଳିଥିଲା । ଯଦିଓ ସେ କଟକ ସହରର ଚାନ୍ଦିମେଢ଼ଠାରୁ ଆରମ୍ଭ କରି ଅନ୍ୟାନ୍ୟ ତାରକସି କାମ କରିଛନ୍ତି ତେବେ ଏଭଳି ବିଶ୍ୱକପ ଟ୍ରଫି ପ୍ରସ୍ତୁତ ପାଇଁ ମନୋନୀତ ହେବାରୁ ସେ ଗର୍ବିତ । ଏହି ଟ୍ରଫି ୩ କିସମର । ହକି ଷ୍ଟିକ୍ ଥିବା ଏହି ଟ୍ରଫି ୮ ଇଞ୍ଚର ୨୧ଟି, ୬ ଇଞ୍ଚର ୧୦୦ଟି ଓ ୪ ଇଞ୍ଚର ୧୫୪ଟି ତିଆରି କରାଯାଇଛି । ପୂର୍ବରୁ ୧୭୫ଟି ଟ୍ରଫି ସେ ରାଜ୍ୟ ସରକାରଙ୍କୁ ଦେଇଥିବା ବେଳେ ମଙ୍ଗଳବାର ଅବଶିଷ୍ଟ ଟ୍ରଫିଗୁଡ଼ିକୁ ପ୍ରଦାନ କରିବେ । ପ୍ରାୟ ୧୫ ଲକ୍ଷ ଟଙ୍କା ବଜେଟରେ ଏହି ଟ୍ରଫି ତିଆରି ହୋଇଛି । ପଙ୍କଜଙ୍କୁ ଏହି କାର୍ଯ୍ୟରେ ୧୫ଜଣ ଶିଳ୍ପୀ ସହାୟତା କରିଛନ୍ତି । ଅତ୍ୟନ୍ତ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ ଏହି ନିଖୁଣ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ପଙ୍କଜଙ୍କୁ ପ୍ରାୟ ୨ ମାସ ସମୟ ଲାଗିଛି ।

କଟକର ପ୍ରସିଦ୍ଧ ତାରକସି କାର୍ଯ୍ୟର ଏକ ସ୍ୱତନ୍ତ୍ରତା ରହିଥିବାରୁ ଏହି କଳାକୁ ବିଶ୍ୱ ଦରବାରରେ ବଜାୟ ରଖିବାକୁ ସେ ତାରକସି ଶିଳ୍ପୀଙ୍କୁ ନିବେଦନ କରିଛନ୍ତି । ପାରିଶ୍ରମିକ ତୁଳନାରେ ଉପଯୁକ୍ତ ପ୍ରାପ୍ୟ ମିଳୁ ନଥିଲେ ମଧ୍ୟ ତାରକସି ଭଳି ସୌନ୍ଦର୍ଯ୍ୟପୂର୍ଣ୍ଣ କଳାକୁ ବଞ୍ଚାଇ ରଖିବାର ଆବଶ୍ୟକତା ରହିଛି ବୋଲି ସେ ମତଦେବା ସହ ଏହା କଟକ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି । ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ସେ ତାରକସୀ କାମରୁ ଓହରି ନାହାନ୍ତି । ୨୦୦୦ ମସିହାରେ ଦୀପାବଳି ସମୟରେ ବାଣ ଫୁଟାଉଥିବା ବେଳେ ହାତରେ ବାଣ ଫୁଟିବାରୁ ଗୁରୁତର ଆହତ ହୋଇଥିଲେ ପଙ୍କଜ । ପିତା ଶ୍ୟାମସୁନ୍ଦର ତାଙ୍କର ଗୁରୁ ଥିଲେ । ଭାଗ୍ୟର ବିଡ଼ମ୍ବନା ବାଣଫୁଟାରେ ଦୁର୍ଘଟଣା ଘଟିବାରୁ ଚିକିତ୍ସା ସମୟରେ ତାଙ୍କର ବାମ ହାତ ପାପୁଲିକୁ କାଟି ଦିଆଗଲା । କିନ୍ତୁ ଏଥିରେ ଧୈର୍ଯ୍ୟହରା ନହୋଇ ସେ ତାରକସି କାମରେ ପୂରା ଦମରେ ଲାଗିପଡ଼ିଲେ । ନିଜର ନିଖୁଣ କାରୁକାର୍ଯ୍ୟ ପାଇଁ ସେ ଏକ ପ୍ରଦର୍ଶନୀରେ ଭାରତ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଶଙ୍କର ଦୟାଲ ଶର୍ମାଙ୍କଠାରୁ ସମ୍ମାନିତ ହୋଇଥିଲେ ।

ଏହାଛଡ଼ା ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ପତ୍ନୀ କାମିନୀ, ପୁଅ ମୋତିରଞ୍ଜନ ଓ ବୈଜୟନ୍ତଙ୍କୁ ନେଇ ତାଙ୍କ ସଂସାର । ପରିବାରର ସହଯୋଗ ଏବଂ ଭଗବାନଙ୍କ ଆଶୀର୍ବାଦରେ ସେ ଏହି କଳାକୁ ବଞ୍ଚାଇ ରଖିବା ସହ ହକି ବିଶ୍ୱକପରେ ଟ୍ରଫି ପ୍ରସ୍ତୁତ କରିବା ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରିଥିବା ପଙ୍କଜ କହିଛନ୍ତି । ତେବେ ରାଜ୍ୟସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ସମବାୟ ସମିତି (ଉକ୍ରଳିକା) ଏହି ଟ୍ରଫି ତିଆରି କ୍ଷେତ୍ରରେ ଯେଉଁ ସହାୟତାର ହାତ ବଢ଼ାଇଛନ୍ତି ସେ ତାହାକୁ କେବେ ଭୁଲିପାରିବେ ନାହିଁ ବୋଲି ମତ ଦେଇଛନ୍ତି ।