ନେଦରଲାଣ୍ଡ ଓ ଜର୍ମ ।ନୀର ଟାଇଟଲ ଅଭିଯାନ

ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୧୪ତମ ପୁରୁଷ ହକି ବିଶ୍ୱକପରେ ଶନିବାର ୩ ଥରର ଚାମ୍ପିଅନ ନେଦରଲ୍ୟାଣ୍ଡ ଏବଂ ୨ ଥରର ଚାମ୍ପିଅନ ଜର୍ମାନୀ ବିଜୟ ସହ ଟାଇଟଲ ଅଭିଯାନ ଆରମ୍ଭ କରିଛନ୍ତି । ଗ୍ରୁପ୍-ଡିର ପ୍ରଥମ ପର୍ଯ୍ୟାୟ ମ୍ୟାଚରେ ନେଦରଲ୍ୟାଣ୍ଡ ୭-୦ ଗୋଲରେ ଏସିଆନ୍ ଗେମ୍ସ ରନର୍ସଅପ୍ ମାଲେସିଆକୁ ଏବଂ ଜର୍ମାନୀ ୧-୦ ଗୋଲରେ ୪ଥରର ଚାମ୍ପିଅନ ପାକିସ୍ତାନକୁ ପରାସ୍ତ କରିଛି । ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ବିଶ୍ୱକପ ଖେଳିବାକୁ ଆସିଥିବା ପାକିସ୍ତାନ ଏହି ପରାଜୟ ପରେ ଭାରତ ସହ ଖେଳିବା ସମ୍ଭାବନାକୁ ବଜାୟ ରଖିଛି ।

ଅନ୍ୟପକ୍ଷରେ ଏହି ଗ୍ରୁପ୍ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ଡିସେମ୍ବର ୫ରେ ହେବାକୁ ଥିଲା ବେଳେ ଏହିଦିନ ନେଦରଲ୍ୟାଣ୍ଡ ସହ ଜର୍ମାନୀର ଏବଂ ପାକିସ୍ତାନ ସହ ମାଲେସିଆର ମୁକାବିଲା ହେବ । ସେହିପରି ରବିବାର ଚଳତ ବିଶ୍ୱକପର ଦ୍ୱିତୀୟ ରାଉଣ୍ଡ ମ୍ୟାଚ ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଥମ ମ୍ୟାଚ୍ରେ କାନାଡା-ସାଉଥ ଆଫ୍ରିକା ଏବଂ ଦ୍ୱିତୀୟ ମୁକାବିଲାରେ ଭାରତ-ବେଲଜିୟମ୍ ପରସ୍ପରକୁ ଭେଟିବେ । ଏହି ମୁକାବିଲା ଜିତି ପାରିଲେ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିବ । ଶନିବାର ଖେଳାଯାଇଥିବା ମ୍ୟାଚରେ ନେଦରଲ୍ୟାଣ୍ଡର ଜେରୋଏନ୍ ହର୍ଜବର୍ଗର ଚଳିତ ବିଶ୍ୱକପର ପ୍ରଥମ ହ୍ୟାଟ୍ରିକ ଅର୍ଜନ କରି ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଦ୍ୱିତୀୟ ମ୍ୟାଚରେ ଏହି ପୁରସ୍କାର ଜର୍ମାନୀର ମ୍ୟାଟ୍ସ ଗ୍ରାମବୁସ୍କୁଙ୍କୁ ମିଳିଥିଲା । ପ୍ରଥମ ମ୍ୟାଚରେ ନାଲକୋ ସିଏମ୍ଡି ତପନ ଚାନ୍ଦ ଏବଂ ଦ୍ୱିତୀୟ ମ୍ୟାଚରେ ଯୋଜନା ବୋର୍ଡ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଥମ ମ୍ୟାଚର ଉଦ୍ଘାଟ ବେଳେ ଉନ୍ନୟନ କମିଶନର ଅସିତ ତ୍ରିପାଠୀ ଏବଂ ଦ୍ୱିତୀୟ ମ୍ୟାଚରେ ଡିଜିପି ଡା. ରାଜେନ୍ଦ୍ର ଶର୍ମା ଅତିଥିଭାବେ ଯୋଗ ଦେଇଥିଲେ ।