ଓଡ଼ିଶା ବିଶ୍ୱ କପ୍ ହକି : ପ୍ରଥମ କ୍ୱାର୍ଟରରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ, ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲ୍ରେ କଲା ପରାସ୍ତ
ଭୁବନେଶ୍ୱର : ଓଡ଼ିଶା ବିଶ୍ୱ କପ୍ ହକିର ପ୍ରଥମ ଦିବସ ଦ୍ୱିତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲ୍ରେ ପରାସ୍ତ କରିଛି ଭାରତୀୟ ହକି ଦଳ । ଆରମ୍ଭରୁ ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖି ବଢ଼ିଆ ବିଜୟ ହାସଲ କରିଛି ଭାରତ ।
ହରମନପ୍ରୀତଙ୍କ ରିବାଉଣ୍ଡ ସଟ୍କୁ ଗୋଲ୍ରେ ବଦଳାଇଥିଲେ ମନଦୀପ ସିଂହ । ଏହି ପ୍ରଥମ ଗୋଲ୍ ପରେ ଆହୁରି ଯୋଶ୍ରେ ଖେଳିଥିଲେ ଭାରତୀୟ ଖେଳାଳି । କିଛି ସମୟ ପରେ ଆକାଶଦୀପ ଚମତ୍କାର ଡ୍ରିବଲିଂ କରି ଦ୍ୱିତୀୟ ଗୋଲ୍ ଦେଇଥିଲେ । ବରୁଣଙ୍କ ପାସ୍କୁ ସିମରନଜିତ ଡିଫ୍ଲେକ୍ଟ କରିଥିଲେ ଏବଂ ଆକାଶଦୀପ ତାକୁ ସିଧାସଳଖ ଗୋଲ୍ପୋଷ୍ଟରେ ପୂରାଇ ଦେଇଥିଲେ ।
ପ୍ରଥମ କ୍ୱାର୍ଟରରେ ଏହି ଦୁଇଟି ଗୋଲ୍ ସ୍କୋର ହୋଇଥିଲା । ଦ୍ୱିତୀୟ କ୍ୱାର୍ଟରେ କୌଣସି ଗୋଲ୍ ହୋଇ ନଥିଲା । ପୁଣି ତୃତୀୟ ଭାଗରେ ସିମରନଜିତ ଏକ ଫିଲଡ୍ ଗୋଲ କରି ଦଳକୁ ୩-୦ରେ ଆଗୁଆ କରିଥିଲେ । ଏହାର ମାତ୍ର କେଇ ସେକେଣ୍ଡ ପରେ ଲଲିତ ସ୍କୋର କରିଥିଲେ ଚତୁର୍ଥ ଗୋଲ୍ ଏବଂ ସିମରନ୍ଜିତ ତାଙ୍କର ଦ୍ୱିତୀୟ ଗୋଲ୍ ସ୍କୋର କରିବାରୁ ୪୬ତମ ମିନିଟ୍ରେ ଭାରତ ୫-୦ରେ ପହଞ୍ଚିଥିଲା । ଅବଶ୍ୟ ଶେଷ ଆଡ଼କୁ ଭାରତୀୟ ଖେଳାଳି ଟିକେ ଧମେଇ ଯାଇଥିଲେ । ତେବେ ସେତେବେଳକୁ ଆଉ ଦକ୍ଷିଣ ଆଫ୍ରିକା ଦଳର ମ୍ୟାଚ୍କୁ ଫେରିବା ପାଇଁ ସୁଯୋଗ ନଥିଲା ।
ଆଜି ପୁଲ୍ ‘ସି’ର ଦୁଇଟି ମ୍ୟାଚ୍ ଖେଳା ଯାଇଥିଲା । ପ୍ରଥମ ମ୍ୟାଚ୍ରେ ବେଲଜିୟମ ୨-୧ ଗୋଲ୍ରେ କାନାଡ଼ାକୁ ହରାଇଥିଲା । ଏହି ପୁଲ୍ରେ ବେଲଜିୟମ୍ ହିଁ ଭାରତ ପାଇଁ ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ଆଶା କରାଯାଉଛି । ଆସନ୍ତା ଡିସମ୍ବର ୨ ତାରିଖରେ ଦୁଇ ଦଳ ମଧ୍ୟରେ ମୁକାବିଲା ହେବ ।