ପୁରୁଷ ହକି ବିଶ୍ୱକପ୍ର ପ୍ରଥମ ଉଦ୍ଘାଟନୀ ଉତ୍ସବ : ଆଜି କମ୍ପିବ କଳିଙ୍ଗଷ୍ଟାଡିୟମ, ସାରା ବିଶ୍ୱର ନଜର

ଭୁବନେଶ୍ୱର : ଆଜି କଳିଙ୍ଗ ଆଥଲେଟିକ ଷ୍ଟାଡିୟମ୍ରେ ପୁରୁଷ ହକି ବିଶ୍ୱକପ୍ର ପ୍ରଥମ ଉଦ୍ଘାଟନୀ ଉତ୍ସବ । କଳିଙ୍ଗ ଆଥଲେଟିକ ଷ୍ଟାଡିୟମରେ ସନ୍ଧ୍ୟା ୫ଟା ୩୦ରୁ ଆରମ୍ଭ ହେବ ଏହି ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଶ୍ୱକପ୍କୁ ଆନୁଷ୍ଠାନିକ ଉଦଘାଟନ କରିବେ । ଏଥିରେ ଅନ୍ତରାଷ୍ଟ୍ରୀୟ, ଏସିଆ ହକି ଫେଡେରେସନ ଓ ହକି ଇଣ୍ଡିଆର କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ । ଉତ୍ସବ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡର ସୁପରଷ୍ଟାର ଶାହରୁଖ ଖାନ୍ । ସେ ‘ମାଇଁ ହାର୍ଟ ବିଟ୍ ଫର ହକି’ରେ ସଂଗୃହୀତ ଷ୍ଟିକ୍କୁ ଏହି ବିଶ୍ୱକପ୍ରେ ଭାଗ ନେଇଥିବା ୧୬ଟି ଦେଶର ଅଧିନାୟକଙ୍କୁ ପ୍ରଦାନ କରିବେ ।

ଏହି ଅବସରରେ ୧୯୭୫ରେ ଭାରତ ଲାଗି ପ୍ରଥମ ତଥା ଶେଷଥର ହକି ବିଶ୍ୱକପ୍ ଜିତିଥିବା ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ପୁରସ୍କୃତ କରାଯିବ । ଏଆର ରହମାନଙ୍କ ଦ୍ୱାରା ଅଫିସିଆଲ ୱାର୍ଲ୍ଡ କପ୍ ସଙ୍ଗ୍ ‘ଜୟ ହିନ୍ଦ ଜୟ ଇଣ୍ଡିଆ’ ପରିବେଷଣ କରାଯିବ । ଏହା ସହ ସେ ମଧ୍ୟ ନିଜର କିଛି ଅଧିକ ଲୋକପ୍ରିୟ ସଙ୍ଗୀତ ପରିବେଷଣ କରିବେ । ଏହା ମଧ୍ୟରେ ଆରମ୍ଭ ହେବ ଉଦ୍ଘାଟନୀ ଉତ୍ସବର ସାସ୍କୃତିକ କାର୍ଯ୍ୟକ୍ରମ । ୯୦ ମିନିଟ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପରିକଳ୍ପନା କରିଛନ୍ତି ନୁପୂର ମହାଜନ । ଏହାର ଶୀର୍ଷକ ରହିଛି ‘ଦ ଆର୍ଥ ସଙ୍ଗ୍’ । ଏଥିରେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମୁଖ୍ୟ କଳାକାର ପୃଥିବୀ ମାତା ଭୂମିକାରେ ଅବତ୍ତୀର୍ଣ୍ଣ ହେବେ ।

ଓଡ଼ିଆ ଚଳଚ୍ଚିତ୍ର ଜିଗତର ଦୁଇ ଲୋକପ୍ରିୟ ତାରକା ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ମଧ୍ୟ ଏହି କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବେ । ଓଡ଼ିଶାର ୮୦୦ ଏବଂ ବଲିଉଡ୍ର ୧୧୦୦ କଳାକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିବେଷିତ ହେବ । ଓଡ଼ିଶାର ବିଶିଷ୍ଟ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ୮ ଜଣ ନୃତ୍ୟଗୁରୁ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତି ମଧ୍ୟରେ କରିବେ ମହାମିଳନ । ‘ଦି ଆର୍ଥ ସଙ୍ଗ୍’ ହେଉଛି ଏକ ନୃତ୍ୟାଭିନୟ, ଯେଉଁଥିରେ ସମସାମୟିକ, ସାଂସ୍କୃତିକ, ଜାଜ୍, ବାଲେଟ୍, ଆଫ୍ରୋ, ସତ୍ରିଆ, ଓଡ଼ିଶୀ, ମୋହିନୀଆଟମ୍, କଥକ ଓ ଆହୁରି ଅନେକ ନୃତ୍ୟ ଦେଖିବାକୁ ମିଳିବ । ଏହା ୪୦ ମିନିଟ ଧରି ଚାଲିବ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହେବ ବିଶ୍ୱର ମାନବ ଜାତି ମଧ୍ୟରେ ଥିବା ଭିନ୍ନତା ମଧ୍ୟରେ ଏକତା । ଏହାହିଁ ଭାରତୀୟ ସଂସ୍କୃତିର ମୁଳମନ୍ତ୍ର । ଭାରତ ଏବଂ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପାରମ୍ପରିକ କଳା ଓ ବୀରତ୍ୱର ଗାଥା ମଧ୍ୟ ଏଥିରେ ଦେଖିବାକୁ ମିଳିବ । ବଲିଉଡ୍ର ସିଅମକ ଦାବର ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ଅଭି ବାରୋଟଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ଜୀବନ୍ତ ହେବ ବୋଲି ଆଶା କରାଯାଉଛି ।