ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ୱ କପ ପୁରୁଷ ହକିରେ ଗୁରୁବାର ଠାରୁ ପୁଲର ଶେଷ ଶେଷ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଯେଉଁ ଦଳ ହାରିବ ସେ ଦଳ ଲାଗି ଆଗକୁ ବଢିବା ବାଟ ବନ୍ଦ ହେବ ।
ଗୁରୁବାର ତୃତୀୟ ତଥା ଚୂଡାନ୍ତ ପର୍ୟ୍ୟାୟ ଖେଳିବେ ପୁଲ ‘ଏ’ର ୪ ଦଳ। ସଂଧ୍ୟା ୫ଟାରେ ସ୍ପେନ୍ ସହିତ ନ୍ୟୁଜିଲାଣ୍ଡ୍ ମୁହାଁମୁହିଁ ହେବାକୁ ଥିଲାବେଳେ ରାତି ୭ଟାରେ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା ଭେଟିବ ଫ୍ରାନ୍ସକୁ। ଆର୍ଜେଣ୍ଟିନା ୨ରୁ ୨ ବିଜୟ ସହିତ ୬ ପଏଣ୍ଟ ପାଇସାରିଥିବାରୁ ଆଉ ଏକ ବିଜୟ କିମ୍ବା ଅମୀମାଂସିତ ଏହି ଦକ୍ଷିଣ ଆମେରିକୀୟ ଦେଶକୁ ସିଧାସଳଖ କ୍ବାର୍ଟର ଫାଇନାଲ୍ ପହଞ୍ଚାଇଦେବ। ୩ ପଏଣ୍ଟ୍ ପାଇଥିବା ନ୍ୟୁଜିଲାଣ୍ଡ୍ ବିଜୟ ହାସଲ କଲେ ନିଶ୍ଚିତ ଏହି ପୁଲ୍ ଗୋଳମାଳିଆ ହୋଇଯିବ। ସେହିଭଳି ସ୍ପେନ୍ ଏବଂ ଫ୍ରାନ୍ସ ମାତ୍ର ଗୋଟିଏ ଲେଖାଏଁ ପଏଣ୍ଟ୍ ପାଇଥିବାରୁ ଗୁରୁବାର ମ୍ୟାଚ୍ ଜିତି ଅନ୍ୟୁନ କ୍ରସ୍ ଓଭର ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିବେ। କାରଣ ଏହି ମ୍ୟାଚ୍ର ପରାଜିତ ଦଳ ନିଶ୍ଚିତ ବିଦାୟ ନେଇଯିବ। ଏହି ବିପଦ ଅଧିକାଂଶ ଭାବେ ଫ୍ରାନ୍ସ ଉପରେ ରହିଛି। ପୁଲର ଶୀର୍ଷ ଦଳ ଆସନ୍ତା ବୁଧବାର ସିଧାସଳଖ କ୍ବାର୍ଟର ଫାଇନାଲ୍ ଖେଳିବ। ଏହି ପୁଲ୍ରେ ପୂର୍ବରୁ ଆର୍ଜେଣ୍ଟିନା ୪-୩ରେ ସ୍ପେନ୍କୁ ଏବଂ ୩-୦ରେ ନ୍ୟୁଜିଲାଣ୍ଡକୁ ହରାଇ ସାରିଥିବାବେଳେ ନ୍ୟୁଜିଲାଣ୍ଡ ୨-୧ରେ ଫ୍ରାନ୍ସକୁ ପରାସ୍ତ କରିଥିଲା। ସ୍ପେନ-ଫ୍ରାନ୍ସ ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା।