କମଳା ଜର୍ସିରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଲଣ୍ଡନ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଜୁନ୍ ୩୦ ତାରିଖରେ ହେବାକୁଥିବା ଆଇସିସି ବିଶ୍ୱକପ୍ ମ୍ୟାଚରେ ପାରମ୍ପରିକ ନୀଳ ରଙ୍ଗର ଜର୍ସି ବଦଳରେ କମଳା ରଙ୍ଗର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ। ଇଂଲଣ୍ଡ ବିପକ୍ଷ ହେବାକୁଥିବା ଏହି ମୁକାବିଲାରେ ଭାରତକୁ ବିକଳ୍ପ ଜର୍ସିର ବ୍ୟବହାର କରିବାକୁ ପଡ଼ିବ।

ଆଇସିସି ନିୟମ ଅନୁଯାୟୀ, ଆୟୋଜକ ଟିମକୁ ଆଇସିସି ଇଭେଣ୍ଟରେ ତା’ର ନିଜ ଜର୍ସିର ରଙ୍ଗକୁ କାଏମ ରଖିବାକୁ ପଡ଼ିଥାଏ। ସାଧାରଣତଃ ଭାରତର ଜର୍ସି ମଧ୍ୟ ନୀଳ ରଙ୍ଗର ହୋଇଥାଏ। କେବଳ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ହିଁ ଭାରତର ଜର୍ସିରେ ଏହି ପରିବର୍ତ୍ତନ କରାଯାଇଛି। ଆୟୋଜକ ଟିମ୍ ହୋଇଥିବାରୁ ଇଂଲଣ୍ଡ ତା’ର ପୂର୍ବ ନିର୍ଦ୍ଧାରିତ ଜର୍ସି ସହ ମଇଦାନକୁ ଓହ୍ଲାଇବ।

ସୂଚନାଯୋଗ୍ୟ, ଚଳିତ ବିଶ୍ୱକପରେ ୨ ଜୁନରେ ଦକ୍ଷିଣ ଆଫ୍ରିକା ବାଂଲାଦେଶ ବିପକ୍ଷ ମ୍ୟାଚରେ ନିଜର ଜର୍ସି ବଦଳାଇଥିଲା। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟିମ୍ ସବୁ ବଦଳରେ ହଳଦିଆ ରଙ୍ଗର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିଲେ। ତେବେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ୍ ଓ ଇଣ୍ଡିଜ୍ ଟିମର ଜର୍ସିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ, କାରଣ ଏହି ତିନି ଟିମର ଜର୍ସି, ଅନ୍ୟ କୌଣସି ଟିମର ଜର୍ସିର ରଙ୍ଗ ସହ ମେଳ ଖାଉନାହିଁ।

ଜୁନ୍ ୨୨ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଉଭୟ ଭାରତ ଓ ଆଫଗାନିସ୍ତାନର ରଙ୍ଗ ମଧ୍ୟ ନୀଳ। ଏଭଳି ସ୍ଥିତିରେ ଶନିବାର ହେବାକୁଥିବା ମ୍ୟାଚରେ ଆଫଗାନିସ୍ତାନ ତା’ର କିଟରେ ପରିବର୍ତ୍ତନ କରିପାରେ। ବିଶ୍ୱକପ୍ କ୍ରୀଡ଼ାସୂଚୀ ଅନୁଯାୟୀ, ସାଉଥାମ୍ପଟନରେ ହେବାକୁଥିବା ଏହି ମ୍ୟାଚକୁ ଭାରତର ଘରୋଇ ମ୍ୟାଚ୍ କୁହାଯାଉଛି।

ଏହା ପୂର୍ବରୁ ସୋଶାଲ ମିଡିଆରେ ଟିମ୍ ଇଣ୍ଡିଆ କମଳା ରଙ୍ଗର ଜର୍ସିକୁ ନେଇ ଲୋକେ ଫେକ୍ ଗେରୁଆ ରଙ୍ଗ ଶେୟାର କରୁଥିଲେ। ଜଣେ ୟୁଜର ଏକ ଫେକ୍ ଜର୍ସିର ଫଟୋ ଶେୟାର କରି ଲେଖିଥିଲା ଯେ, କ’ଣ ଅମିତ୍ ଶାହ ଟିମର ଜର୍ସିର ଡିଜାଇନ୍ କରିଛନ୍ତି। ସେହିପରି କିଛି ଲୋକେ କେନ୍ଦ୍ରର ମୋଦି ସରକାରକୁ ଲୋକସଭା ନିର୍ବାଚନରେ ମିଳିଥିବା ବିଜୟ ସହ ଏହାକୁ ଯୋଡ଼ିଛନ୍ତି।

ଆଇସିସି ନିୟମ ମୁତାବକ, କୌଣସି ମ୍ୟାଚର ପ୍ରସାରଣ ଯଦି ଟିଭିରେ ହେଉଥାଏ, ତାହେଲେ ଦୁଇ ଟିମ୍ ଗୋଟିଏ ରଙ୍ଗର ଜର୍ସି ପିନ୍ଧି ଗ୍ରାଉଣ୍ଡକୁ ଓହ୍ଲାଇପାରିବେ ନାହିଁ। ଏହି ନିୟମ ଫୁଟବଲରେ “ହୋମ୍ ଏବଂ ଆୱେ” ମୁକାବିଲାରେ ପରିଧାନ କରାଯାଉଥିବା ଜର୍ସିର ପ୍ରେରଣାରୁ ହିଁ କରାଯାଇଛି।