ଇତିହାସ ରଚିଲେ ବକ୍ସର ଅମିତ୍

ଏକାତେରିବର୍ଗ:ଭାରତର ତାରକା ବକ୍ସର ଅମିତ ପଙ୍ଘାଲ ଶୁକ୍ରବାର ଇରିହାସ ରଚିଛନ୍ତି। ସେ ବିଶ୍ଵ ବକ୍ସିଂ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଭାରତୀୟ ପୁରୁଷ ବକ୍ସର ହେବାର ଉପଲବ୍ଧି ହାସଲ କରିଛନ୍ତି। ରୁଷର ଏକାତେରିବର୍ଗରେ ଅନୁଷ୍ଠିତ ସେମି ଫାଇନାଲରେ ସେ କଜାକସ୍ତାନର ସାକେନ ବିବୋସିନୋଭଙ୍କୁ ୩-୨ରେ ହରାଇଛନ୍ତି। 

ଏସୀୟ କ୍ରୀଡ଼ାର ସ୍ଵର୍ଣ୍ଣପଦକ ବିଜେତା ପଙ୍ଘାଲ(୫୨ କିଲୋଗ୍ରାମ) ବର୍ଗରେ ବିଶ୍ଵ ବକ୍ସିଂ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଟୂର୍ଣ୍ଣାମେଣ୍ଟରେ ଏହା ହେଉଛି ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ପ୍ରଥମ ଥର ଏହି ଟୂର୍ଣ୍ଣାମେଣ୍ଟରେ ଭାରତୀୟ ବକ୍ସର ଦୁଇଟି ପଦକ ଜିତିବାକୁ ଯାଉଛନ୍ତି।

ଦ୍ଵିତୀୟ ସିଡ୍ ମାନ୍ୟତା ପ୍ରାପ୍ତ ପଙ୍ଘାଲ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବି ରୌପ୍ୟ ପଦକ ଜିତିଥିଲେ। ପଙ୍ଘାଲ ଆଜି ସେମି ଫାଇନାଲର ସଂଘର୍ଷପୂର୍ଣ୍ଣ ମୁକାବିଲାରେ କଜାକସ୍ଥାନର ବକ୍ସରଙ୍କୁ ପଏଣ୍ଟ ବିଭାଜନରେ ପରାସ୍ତ କରିଛନ୍ତି। ଅନ୍ୟପଟେ ସାକେନ ବିବୋସିନୋଭ ଷଷ୍ଠ ସିଡ୍ ଅର୍ତର ହୋବହନସ୍ୟାନଙ୍କୁ ହରାଇ ଅନ୍ତିମ ଚାରରେ ପ୍ରବେଶ କରିଥିଲେ।

ଫାଇନାଲରେ ଅମିତଙ୍କ ମୁକାବିଲା ଉଜବେକିସ୍ତାନର ଶାଖୋବଦ୍ଦୀନ ଜୋଇରୋଭଙ୍କ ସହ ହେବ। ଜୋଇରୋଭ ଏହି ବର୍ଗରେ ଅଲିମ୍ପିକ ସ୍ଵର୍ଣ୍ଣପଦକ ବିଜେତା। ଜୋଇରୋଭ ଫ୍ରାନ୍ସର ବିଲାଲ ବେନାମାଙ୍କୁ ୫-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। 

ଭାରତୀୟ ବକ୍ସର ଗତ ବିଶ୍ଵ ଚମ୍ପିଆନସିପର କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ଭାରତୀୟ ପୁରୁଷ ବକ୍ସର ଏହି ବିଶ୍ଵ ଚମ୍ପିଆନସିପରେ ଏ ପର୍ୟ୍ୟରନ୍ତ କେବଳ ଚାରି କାଂସ୍ୟ  ହାସଲ କରିଛନ୍ତି। ଭାରତ ପକ୍ଷରୁ ବିଜେନ୍ଦର ସିଂହ(୨୦୦୯), ବିକାସ କୃଷ୍ଣ(୨୦୧୧), ଶିବା ଥାପା(୨୦୧୫) ଓ ଗୌରବ ବିଧୁଡି(୨୦୧୭)ରେ କାଂସ୍ୟ ପଦକ ଜିତିଛନ୍ତି।