ନାବାଳକ କଲେଜଛାତ୍ରର ଏକତରଫା ପ୍ରେମ,ବିଭାହିତା ମହିଳାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ପ୍ରେମପାଗଳଙ୍କ ଏକତରଫା ପ୍ରେମ ଅନେକ ପରିବାର ଉଜାଡୁଛି । ଅନେକ ଜୀବନ ମଧ୍ୟ ନେଉଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭରବଙ୍କନଶ୍ୱରର ୟୁନିଟ-୮ ଗୋପବନ୍ଧୁନଗର କଲୋନିରେ। ଜଣେ କଲେଜଛାତ୍ରର ଏକ ତରଫା ପ୍ରେମ ଜଣେ ବିଭାହିତା ମହିଳାଙ୍କ ଜୀବନ ନେଇଛି । ତାହା ପୁଣି ମହିଳାଙ୍କ ଠାରୁ ୧୫ ବର୍ଷ ସାନ ଜଣେ କଲେଜ ଛାତ୍ରର ଏକତରଫା ପ୍ରେମ ଲାଗି । ବାଳକର ଜନିତ ନିର୍ୟାତନା ସହି ନ ପାରି ଜଣେ ବିବାହିତା ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆଉ ଏହି ଘଟଣା ପରେ ନୂଆପଲ୍ଲୀ ଥାନା ପୁଲିସ ସଂପୃକ୍ତ ଛାତ୍ରକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ଟୁଲୁ ଓରଫ ବିଶ୍ୱଜିତ ରାଉତରାୟ(୨୧)। ଏହି ଅଭାବନୀୟ ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ବିଶ୍ୱଜିତ କୌଣସି ପ୍ରକାରେ ତାଙ୍କ କଲୋନିରେ ରହୁଥିବା ସସ୍ମିତା ବିଶ୍ୱାଳ(୩୭) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ସହ ମୋବାଇଲ୍ ନମ୍ବର ଯୋଗାଡ଼ କରି ତାଙ୍କ ସହ ଚାଟିଂ କରିବା ଆରମ୍ଭ କରି ଦେଇଥିଲା। ସସ୍ମିତାଙ୍କ ଇଚ୍ଛା ବିରୋଧରେ ସେ ଫେସ୍ବୁକ୍ ମାଧ୍ୟମରେ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲା। ହେଲେ ସସ୍ମିତା ବିଶ୍ୱଜିତ କଥାରେ ରାଜି ନହେବାରୁ ତାଙ୍କ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ଉଠାଇ ନେବ ବୋଲି ଧମକ ଦେଉଥିଲା। ଏହା ଜାଣିବା ପରେ ସସ୍ମିତାଙ୍କ ସ୍ୱାମୀ ରବୀନ୍ଦ୍ର ବିଶ୍ୱଜିତକୁ ଏଭଳି କରିବାକୁ ବାରଣ କରିଥିଲେ।

ମାତ୍ର ମହିଳାଙ୍କୁ ପାଇବା ପାଇଁ ବିଶ୍ୱଜିତ ଏଭଳି ପାଗଳପ୍ରାୟ ହୋଇ ଉଠିଥିଲା ଯେ ସେ ତାଙ୍କୁ ମଧ୍ୟ ହତ୍ୟା କରିବ ବୋଲି ଧମକ ଦେଇଥିଲା। ବିଶ୍ୱଜିତ ବାରମ୍ବାର ଏପରି ଧମକ ଦେବା ଫଳରେ ମାନସିକ ସନ୍ତୁଳନ ହରେଇ ବସିଥିଲେ ସସ୍ମିତା। ଏଭଳି ମାନସିକ ନିର୍ୟାତନାରେ ଅତିଷ୍ଠ ହୋଇ ଯାଇଥିବା ସସ୍ମିତା ନିଜ ଝିଅ ଓ ସ୍ୱାମୀଙ୍କୁ ବିଶ୍ୱଜିତ ନଜରରୁ ରକ୍ଷା କରିବାକୁ ଆତ୍ମହତ୍ୟା ପରି ଚରମ ପନ୍ଥାକୁ ଆପଣେଇ ନେଇଥିଲେ। ଶେଷରେ ଶନିବାର ସସ୍ମିତା ବିଷ ପିିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏନେଇ ତାଙ୍କ ସ୍ୱାମୀ ରବୀନ୍ଦ୍ର ବିଶ୍ୱଜିତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ବିଶ୍ୱଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବ୍ୟବଚ୍ଛେଦ ପରେ ସସ୍ମିତାଙ୍କ ଶବକୁ ରବୀନ୍ଦ୍ରଙ୍କୁ ହସ୍ତାନ୍ତର କାରଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।