ବିଧାନସଭା ଓ ସଂସଦରେ ମହିଳାଙ୍କ ଲାଗି ୩୩ % ସଂରକ୍ଷଣ ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର : ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଆଗତ କରିଥିବା ପ୍ରସ୍ତାବ ସର୍ବସମ୍ମତକ୍ରମେ ଗୃହୀତ ହୋଇଛି । ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକମାନେ ମହିଳାଙ୍କୁ ୩୩% ଆସନ ମିଳିବା ଉଚିତ ବୋଲି ମତ ଦେଇଛନ୍ତି । ସର୍ବସମ୍ମତ ଭାବେ ଗୃହୀତ ପ୍ରସ୍ତାବ ଏହାପରେ ସଂସଦର ଅନୁମୋଦନ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ । ପ୍ରସ୍ତାବ ଆଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମାଲକାନଗିରିରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ଆଜି ଏକ ନୂଆ ଓଡ଼ିଶା ଦେଖୁଛୁ । ମାଲକାନଗିରିର ମମତା ପଢ଼ିଆମୀ ଓ ସୁନ୍ଦରଗଡ଼ର ଜୟନ୍ତୀ ଏକ୍କାଙ୍କ ଭଳି ମହିଳାଙ୍କ ପାଇଁ ନୂଆ ଓଡ଼ିଶାର ସ୍ୱର ଦୃଢ଼ ହୋଇଛି ।

ଏହି ସ୍ୱର ସଂସଦ ଠାରୁ ଆରମ୍ଭ କରି ବିଧାନସଭା ଓ ପଞ୍ଚାୟତରେ ଶୁଣାଯିବାର ଆବଶ୍ୟକତା ରହିଛି । ମହିଳାଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ସେ ପ୍ରସ୍ତାବ ଆଗତ କରିଛନ୍ତି । ମହିଳାଙ୍କ ସଶକ୍ତୀକରଣ ବିନା କୌଣସି ପରିବାର, ସମାଜ, ରାଜ୍ୟ କିମ୍ବା ଦେଶ ଆଗକୁ ବଢ଼ି ପାରିବ ନାହିଁ । ମହିଳାଙ୍କ ସାମାଜିକ, ଅର୍ଥନୈତିକ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ମିଶନ ଶକ୍ତି, ମମତା, ବାଳିକା ଶିକ୍ଷା, ମିଶନ ଶକ୍ତି ଗ୍ରୁପକୁ ୧ ପ୍ରତିଶତ ସୁଧରେ ଋଣ, ୫ ଲକ୍ଷ ବାଳିକାଙ୍କ ପାଇଁ ଛାତ୍ରୀନିବାସ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ଚିକିତ୍ସା ପାଇଁ ସହାୟତା ରାଶି ୭ ଲକ୍ଷକୁ ବୃଦ୍ଧି ଓ ମହିଳାଙ୍କ ଭୂମି ଅଧିକାର ଆଦି ଅନେକ ଐତିହାସିକ ପଦକ୍ଷେପ ରାଜ୍ୟ ସରକାର ନେଇଚନ୍ତି । ବିଜୁବାବୁ ୧୯୯୨ରେ ମହିଳାଙ୍କ ପାଇଁ ପଞ୍ଚାୟତ ଓ ପୌରସଂସ୍ଥାରେ ୩୩% ସ୍ଥାନ ସଂରକ୍ଷଣ କରି ରାଜନୈତିକ ନିଷ୍ପତ୍ତି ପ୍ରକ୍ରିୟାରେ ସେମାନଙ୍କୁ ସାମିଲ କରିଥିଲେ । ବର୍ତ୍ତମାନ ରାଜ୍ୟ ସରକାର ପଞ୍ଚାୟତରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣକୁ ୫୦%କୁ ବୃଦ୍ଧି କରିଛନ୍ତି ।

୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ବର୍ତ୍ତମାନ ୭୦ ଲକ୍ଷ ମହିଳା ଓ ୬ ଲକ୍ଷ ଗୋଷ୍ଠୀ ଅଛନ୍ତି । ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ ଅନୁଷ୍ଠାନରେ ମା’ ଓ ଭଉଣୀମାନଙ୍କୁ ଭୂମିକା ନିର୍ବାହ କରିବାକୁ ସୁଯୋଗ ଦେଲେ ନୂଆ ଓଡ଼ିଶା ଅଧିକ ଗତିର ସହ ଆଗକୁ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ପ୍ରସ୍ତାବକୁ ସମର୍ଥନ କରିବା ସହ ସର୍ବସମ୍ମତ ଭାବେ ଗୃହୀତ କରିବାକୁ ସେ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ଆଲୋଚନାରେ ଭାଗ ନେଇ କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ, ଏହି ପ୍ରସ୍ତାବକୁ ସେ ସମର୍ଥନ କରୁଛନ୍ତି । କିନ୍ତୁ ଏହା ଆସନ୍ତା ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ଭେଳିକି । ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଛି । ‘ମାଆକୁ ସମ୍ମାନ ଓ ଗାଁକୁ କାମ’ କେବଳ ସ୍ଲୋଗାନ୍ରେ ରହିଛି । କେନ୍ଦ୍ର ଅନୁମତି ନଦେଲେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବ କି ବୋଲି ଶ୍ରୀ ବାହିନୀପତି ପ୍ରଶ୍ନ କରିଥିଲେ । ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟ ସରକାରଙ୍କର ଏହା ଐତିହାସିକ ପଦକ୍ଷେପ ।

ବିଜୁବାବୁ ମହିଳା ସଶକ୍ତୀକରଣର ପ୍ରତୀକ ଥିଲେ । ବର୍ତ୍ତମାନ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ମିଳିଲେ ଏଥିରେ ବିଭିନ୍ନ ବର୍ଗର ମହିଳାଙ୍କୁ ସୁଯୋଗ ମିଳିବ । ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ କହିଥିଲେ, ପ୍ରସ୍ତାବକୁ ସମର୍ଥନ କରୁଥିଲେ ମଧ୍ୟ ରାଜ୍ୟ ସରକାର ଆସନ୍ତା ନିର୍ବାଚନ ପୂର୍ବରୁ ଏହି ଶେଷ ଅଧିବେଶନରେ ଏହି ପ୍ରସ୍ତାବ ଆଣିଥିବାରୁ ଏହାର କାର୍ଯ୍ୟକାରିତା ନେଇ ସନ୍ଦେହ ରହିଛି । କେନ୍ଦ୍ରରେ ମହିଳା ବିଲ୍ ଲୋକସଭାରେ ଗୃହୀତ ହୋଇଥିଲେ ମଧ୍ୟ ରାଜ୍ୟସଭାରେ ଗୃହୀତ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ ଏହି ବିଲ୍ ୨୦୧୯ ନିର୍ବାଚନରେ ଲାଗୁ ହେବାର କୌଣସି ସମ୍ଭାବନା ନାହିଁ । ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ, ମହିଳା ସଶକ୍ତୀକରଣ ଦିଗରେ ଏହା ଏକ ଅନନ୍ୟ ବ୍ୟବସ୍ଥା । ଜନସଂଖ୍ୟାର ୫୦% ସଶକ୍ତ ହେଲେ ସାମାଜିକ ବ୍ୟବସ୍ଥା ସଶକ୍ତ ହେବ । ଏହି ଆଲୋଚନାରେ ବିଧାୟକ ପଦ୍ମନାଭ ବେହେରା, ମହେଶ ସାହୁ, ପ୍ରଦୀପ ପୁରୋହିତ, ରବି ନାଏକ, ବେଦପ୍ରକାଶ ଅଗ୍ରୱାଲ୍, ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ଗୃହରେ ଉପସ୍ଥିତ ଥିବା ସଦସ୍ୟମାନେ ପ୍ରସ୍ତାବକୁ ସର୍ବସମ୍ମତକ୍ରମେ ସମର୍ଥନ ଜଣାଇବାରୁ ତାହା ଗୃହୀତ ହୋଇଥିଲା ।