ଦିନିକିଆ ସିରିଜ୍ ଜିତିଲା ଭାରତୀୟ ମହିଳା ଟିମ୍

ମୁମ୍ବାଇ: ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ବିଶ୍ୱର ଏକ ନମ୍ବର ଟିମ୍‌ ଇଂଲଣ୍ଡକୁ ୭ ୱିକେଟ୍‌ରେ ହରାଇ ଭାରତୀୟ ମହିଳା ଟିମ୍ ବିଜୟ ହାସଲ କରିଛି । ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ମହିଳା ଟିମ୍ ଘରୋଇ ଦଳର ପେସ୍ ଆକ୍ରମଣକୁ ସାମ୍ନା କରିନପାରି ୪୩.୩ ଓଭରରେ ୧୬୧ ରନ୍ କରି ଅଲଆଉଟ୍‌ ହୋଇଥିଲା। ଦଳ ପକ୍ଷରୁ ନାଟାଲି ସ୍କିଭର୍‌ ସର୍ବାଧିକ ୮୫ ରନ୍ କରିଥିଲେ। ୧୬୨ ରନ୍‌ର ବିଜୟଲକ୍ଷ୍ୟକୁ ଭାରତୀୟ ମହିଳା ଟିମ୍‌ ୪୧.୧ ଓଭରରେ ୩ ୱିକେଟ୍‌ ହରାଇ ହାସଲ କରିନେଇଛି। ଏହି ସହଜ ଲକ୍ଷ୍ୟର ପିଛା କରିବାକୁ ଯାଇ ଭାରତକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା। ଓପ୍ନର ଜେମିମା ରୋଡ୍ରିଗ୍ସ ଖାତା ଖୋଲିବାକୁ ଅସମର୍ଥ ହୋଇଥିଲେ। ଅନ୍ୟତମ ଓପ୍ନର ମନ୍ଧାନା ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରିଥିଲେ। ତାଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପୁନମ ରାଉତ ଭଲ ସହଯୋଗ କରି ଦ୍ୱିତୀୟ ୱିକେଟ୍‌ ପାଇଁ ୭୩ ରନ୍ ଯୋଡିଥିଲେ। ପୁନମ ୩୨ ରନ୍ କରି ଗ୍ରିଗୋରୀ ଏଲୱିସ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହା ପରେ କ୍ୟାପଟେନ୍ ମିତାଲି ରାଜ ନିଜ ଅଭିଜ୍ଞତାର ଭରପୂର ଉପଯୋଗ କରି କ୍ରିଜ୍‌ରେ ଜମି ଯାଇଥିଲେ। ଏହା ମଧ୍ୟରେ ମନ୍ଧାନା ନିଜର ୧୫ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ମିତାଲ ଓ ମନ୍ଧାଜା ତୃତୀୟ ୱିକେଟ୍‌ ପାଇଁ ୬୬ ରନ୍ ଯୋଡି ଭାରତର ବିଜୟ ପକ୍କା କରିଥିଲେ। ଭାରତର ସ୍କୋର ୧୪୦ ଥିବା ବେଳେ ମନ୍ଧାନାଙ୍କୁ ଆନ୍ୟା ସ୍ରୁବ୍‌ସୋଲ୍‌ ଏଲବିଡବ୍ଲ୍ୟୁ କରିଥିଲେ। ମନ୍ଧାନା ୭୪ ବଲ୍‌ରେ ୭ ଚୌକା ଓ ୧ ଛକା ସହ ୬୩ ରନ୍‌ କରିଥିଲେ।