ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମନାରେ ମା’-ଝିଅଙ୍କ ଆତ୍ମହୂତି ଉଦ୍ୟମ

ଲକ୍ଷ୍ନୌ: ଶୁକ୍ରବାର ସଂଧ୍ୟାରେ କଡ଼ା ନିରାପତ୍ତା ମଧ୍ୟରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ “ଲୋକଭବନ” ସାମନାରେ ଦୁଇଜଣ ମହିଳା ଆତ୍ମହୂତି ଉଦ୍ୟମ କରିଛନ୍ତି। ସମ୍ପର୍କରେ ମା’ ଓ ଝିଅ ଏହି ଦୁଇ ମହିଳା ଦେହରେ ନିଆଁ ଲଗାଇ ଦେଇଥିଲେ। କାର୍ଯ୍ୟରତ ସୁରକ୍ଷାକର୍ମୀ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

ମାଁ ଝିଅଙ୍କ ନାମ ଗୁଡ଼ିୟା ଓ ସୋଫିଆ। ସେମାନଙ୍କ ଘର ଆମେଥି ଜିଲ୍ଲା ଜାମୋ ଗ୍ରାମରେ। କୌଣସି ଜମିଜମା ବିବାଦକୁ ନେଇ ସେମାନେ ନ୍ୟାୟ ନ ପାଇବାର ପ୍ରତିବାଦରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହୂତି ଉଦ୍ୟମ କରିଥିଲେ। ଗତକାଲି ସଂଧ୍ୟା ୫ଟା ୪୦ ମିନିଟରେ ଏହି ଘଟଣା ଘଟିଛି। ମା’ ଜଣକ ନିଆଁରେ ପୋଡ଼ିହୋଇ ଦୌଡ଼ୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ତେବେ କଡ଼ା ନିରାପତ୍ତା ମଧ୍ୟରେ ଥିବା ଅଞ୍ଚଳ ଭିତରେ ଦୁଇ ମହିଳା କିଭଳି ଆତ୍ମହୂତି ଉଦ୍ୟମ କଲେ ସେ ନେଇ ତଦନ୍ତ ଚାଲିଥିବା ବେଳେ ଉଭୟଙ୍କ ଆତ୍ମହୂତି ପଛର କାରରକୁ ନେଇ ମଧ୍ୟ ତଦନ୍ତ ଚାଲିଛି।

ଏ ଘଟଣାରେ ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଆମେଥିରେ ଜମିଜମା ବିବାଦ ସମାଧାନ କରିବାରେ ବିଫଳ ହେବାରୁ ଦୁଇ ମହିଳା ଆତ୍ମହୂତି ଉଦ୍ୟମ କଲେ ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶ ସରକାର ଏ ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରିବା ସାଙ୍ଗକୁ ଜମିଜମା ମାମଲାରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।