ଡାକ୍ତରଙ୍କ ଅବହେଳା: ଅସ୍ତ୍ରୋପଚାରରେ ବାହରିଲା ପଥର, ମହିଳାଙ୍କ ପେଟରେ ରହିଗଲା ବ୍ୟାଣ୍ଡେଜ

ନୂଆଦିଲ୍ଲୀ: ଡାକ୍ତରଙ୍କ ବେପାରୁଆ ଅସ୍ତ୍ରୋପଚାର ପାଇଁ ଜଣେ ମହିଳାଙ୍କୁ ଅଧିକ ଯନ୍ତ୍ରଣା ଭୋଗିବାକୁ ପଡିଛି । ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରୁ ପଥର ବାହାରି ଯିବା ପରେ ପରେ ପରିବାର ଲୋକେ ଆଶ୍ୱସ୍ତି ଲାଭ କରିଥିବା ବେଳେ ପେଟରେ ବ୍ୟାଣ୍ଡେଜ ଓ କପଡ଼ା ରହିଯାଇଥିବା ଖବର ସେମାନଙ୍କ ଦୁଃଖକୁ ଆହୁରି ବଢାଇ ଦେଇଛି । 

ଜଣେ ୪୦ ବର୍ଷୀୟ ମହିଳା ନିଶା ବେଗମଙ୍କର ପଥରୀ ଅପରେଶନ ଉତ୍ତର ପ୍ରଦେଶର ବାଗପତସ୍ଥିତ ସରକାରୀ ଡାକ୍ତରଖାନାରେ ହୋଇଥିଲା । ଡାକ୍ତରମାନେ ନିଶାଙ୍କର ପେଟରୁ ପଥର ବାହାର କରିଦେଇଥିଲେ ସତ, ମାତ୍ର କପଡ଼ା ଓ ବ୍ୟାଣ୍ଡେଜକୁ ପେଟ ଭିତରେ ଛାଡ଼ି ଯାଇଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ନ ଆସିବା ପରେ ତାଙ୍କୁ ଦିଲ୍ଲୀ ଅଣାଯାଇଥିଲା । ଏଠାରେ ହିନ୍ଦୁରାଓ ହସ୍ପିଟାଲରେ ଡାକ୍ତରମାନେ ମହିଳାଙ୍କ ପେଟରୁ କପଡ଼ା ଓ ବ୍ୟାଣ୍ଡେଜ ବାହାର କରିଥିଲେ । 

ପଥରୀ ଅପରେଶନ କରିବା ପରେ ନିଶାଙ୍କର ପେଟରେ ଯନ୍ତ୍ରଣା କମ ହୋଇ ନ ଥିଲା । କ୍ରମାଗତ ଭାବେ ୬ ମାସ ଯାଏଁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଅକ୍ଟୋବର ୧୫ରେ ତାଙ୍କୁ ହିନ୍ଦୁରାଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅପରେଶନ ପରେ ପେଟ ଭିତରୁ କପଡ଼ା ଓ  ବ୍ୟାଣ୍ଡେଜ ବାହାର କରାଯାଇଥିଲା । 

ନିଶା ବେଗମଙ୍କ ଭାଇ ମହମ୍ମଦ ୱାସିମ ଅନୁସାରେ ତାଙ୍କ ଭଉଣୀ ବାଗପତ ନିବାସୀ ଅଟନ୍ତି।  ତାଙ୍କ ପେଟରେ କ୍ରମାଗତ ଯନ୍ତ୍ରଣା ହେଉଥିଲା । ପାଖାପାଖି ୬ ମାସ ପୂର୍ବରୁ ବାଗପତର ଏକ ସରକାରୀ ହସ୍ପିଟାଲରେ ଅପରେଶନ କରାଯାଇଥିଲା । ସେଠାରେ ଡାକ୍ତରମାନେ ପେଟ ଭିତରୁ ପଥର ବାହାର କରିଥିଲେ । ମାତ୍ର ଡାକ୍ତରମାନେ ଅପରେଶନରେ ଅବହେଳା କରି ନିଶାର ପେଟ ଭିତରେ ବ୍ୟାଣ୍ଡେଜ ଓ କପଡ଼ା ଛାଡ଼ି ଦେଇଥିଲେ । ସେଥିପାଇଁ ନିଶା ଅପରେଶନ ପରେ ମଧ୍ୟ ଯନ୍ତ୍ରଣା ପାଉଥିଲେ ବୋଲି ଭାଇ କହିଛନ୍ତି ।