ମନ୍ଦିରରେ ଦୀପ ଲଗାଇଲାବେଳେ ଶାଢ଼ିରେ ଲାଗିଗଲା ନିଆଁ

ଆନନ୍ଦପୁର: ଆଜି ମହାଶିବରାତ୍ରି ହୋଇଥିବାବେଳେ ଚାରିଆଡେ ଶୈବପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ତେବେ ଏହା ଏକ ଖବର ସାମ୍ନାକୁ ଆସିଛି । ଜଣେ ମହିଳା ମନ୍ଦିରରେ ଦୀପ ଜାଳିବା ସମୟରେ ଶାଢ଼ିରେ ନିଆଁ ଲାଗିବା ଫଳରେ ସେ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତେବେ ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଂଚଳରେ ।

ଜାଗରଯାତ୍ରା ହୋଇଥିବାରୁ ରାଜ୍ୟର ଅଧିକାଂଶ ଶୈବପୀଠମାନଙ୍କ ଭଳି ଘଷିପୁରା ବ୍ଲକର ଦେଓଗାଁସ୍ଥିତ କୁଶଳେଶ୍ୱର ଶିବ ମନ୍ଦିରରେ ବି ସକାଳୁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ଭକ୍ତମାନେ ଧାଡ଼ିରେ ମନ୍ଦିର ଭିତରକୁ ପ୍ରବେଶ କରୁଥିଲେ।

ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଦେଓଗାଁର କୁଶଳେଶ୍ୱର ଶିବ ମନ୍ଦିରରେ କମଳିନୀ ବାରିକ ନାମକ ଜଣେ ମହିଳା ଦୀପ ଜଳାଉଥିଲେ। ହଠାତ୍ ସେଠାରେ ଦୀପଷ୍ଟାଣ୍ଡରେ ଥିବା ଦୀପର ନିଆଁ ତାଙ୍କ ଶାଢ଼ିରେ ଲାଗି ଯାଇଥିଲା। ଏହାପରେ ସେ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ପାଖରେ ଥିବା ଅନ୍ୟ ଭକ୍ତମାନେ କମଳିନୀଙ୍କୁ ଉଦ୍ଧାର କରିଥିଲେ। ତା’ପରେ ସେମାନେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କମଳିନୀଙ୍କର ବାମ ହାତ ପୋଡ଼ି ଯାଇଥିବାର ସୂଚନା ମିଳିଛି।

କମଳିନୀଙ୍କର ବୟସ ୪୮ ବର୍ଷ ଏବଂ ସେ ଦେଓଗାଁର ଅଚ୍ୟୁତାନନ୍ଦ ବାରିକଙ୍କ ସ୍ତ୍ରୀ ବୋଲି ଜଣାଯାଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କୁହାଯାଉଛି।