ଆସିଲାନି ଆମ୍ବୁଲାନ୍ସ:ବାଟରେ ପ୍ରସବ କଲେ ମହିଳା

ମାଲକାନଗିରି: ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ତେଣୁ ଭାରରେ ବୋହି ଡାକ୍ତରଖାନା ନେବା ବେଳେ ବାଟରେ ପ୍ରସବ କରିଛନ୍ତି ଜଣେ ମହିଳା। ଏଭଳି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ୍ ଅନ୍ତର୍ଗତ ଚେପୁଲପଡ଼ା ଗାଁରେ। ଗତକାଲି ଗାଁର ଧବୁଲୁ ମାଝିଙ୍କ ସ୍ତ୍ରୀ କାନ୍ଦ୍ରି ମାଝିଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଏନେଇ ପରିବାର ଲୋକେ ଆଶା ଦିଦିଙ୍କୁ ଖବର ଦେଇଥିଲେ। କାନ୍ଦ୍ରିଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ବ୍ୟବସ୍ଥା କରିବାକୁ ଆଶା ଦିଦି ପରିବାର ଲୋକଙ୍କୁ କହିଥିଲେ। ଏହା ପରେ ପରିବାର ଲୋକେ ୧୦୮ ଆମ୍ବୁଲାନସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରି ନ ଥିଲା। ପରିବାର ଲୋକେ ଆଉ କୌଣସି ଉପାୟ ନ ପାଇ କାନ୍ଦ୍ରିଙ୍କୁ ଭାରରେ ବୋହି ନେଇ ଥିଲେ। ତେବେ କାନ୍ଦ୍ରି ବାଟରେ ହିଁ ପ୍ରସବ କରିଥିଲେ। ଏହା ପରେ ମା’ ଓ ଶିଶୁକୁ ଭାରରେ ବୋହି ପ୍ରାୟ ୭ କିମି ଦୂର ରାଉଲି ଗୁଡ଼ା ଗାଁକୁ ଅଣାଯାଇଥିଲା। ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଖଇରପୁଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଉଭୟଙ୍କୁ ଖଇରପୁଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି।