ଗର୍ଭବତୀ ସ୍ତ୍ରୀକୁ ପୋଡି ମାରିଦେଲେ ସ୍ୱାମୀ ଓ ତାଙ୍କ ପରିବାର

ରାଉଲକେଲା: ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ପରିବାର ଲୋକେ ମିଶି ଜିଅନ୍ତା ପୋଡି ମାରି ଦେବା ଘଟଣା ସାମ୍ନାକୁ ଆସିଛି । ତେବେ ବାରମ୍ବାର ଗର୍ଭରେ କନ୍ୟା ସନ୍ତାନ ଧାରଣ କରୁଥିବା ଯୋଗୁଁ ତାଙ୍କ ସ୍ୱାମୀ ଓ ପରିବାର ଲୋକେ ଏଭଳି କାଣ୍ଡ ଭିଆଇଥିବା ମହିଳାଙ୍କ ଘର ପକ୍ଷରୁ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ରାଉଲକେଲାରେ ।

ପ୍ରକାଶ ଯେ, ରାଉଲକେଲାର ଗୋପବନ୍ଧୁପାଲି କୋଇଲା ଘାଟି ବସ୍ତିର ବିନୋଦ ସିଂହ (୪୦) ରାଧା କୁମାରୀ(୩୫)ଙ୍କୁ ୨୦୧୪ ମସିହା ମାର୍ଚ୍ଚ ମାସରେ ବିବାହ କରିଥିଲେ। ବାହାଘର ପରେ ସ୍ବାମୀ-ସ୍ତ୍ରୀ ଗୁଜୁରାଟର ସୁରାଟକୁ ଯାଇଥିଲେ। ସେଠାରେ ବିନୋଦ ସିଂହ ଏକ ସୂତାକଳରେ କାମ କରିଥିଲେ । ବାହାଘରର କିଛି ମାସ ପରେ ରାଧା କୁମାରୀଙ୍କର ଗର୍ଭରେ ଏକ କନ୍ୟା ସନ୍ତାନ ଥିବା ଜାଣି ପାରି ବିନୋଦ ସ୍ତ୍ରୀଙ୍କର ଗର୍ଭପାତ କରାଇଥିଲେ। ଦ୍ବିତୀୟ ଥର ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତା’ପରଠାରୁ ବିନୋଦ, ତାଙ୍କର ବାପା ରାମକୀର୍ତି ସିଂହ, ଦେଢ଼ଶୁର ଜୟମଙ୍ଗଳ ସିଂହ ଏବଂ ଯାଆ ମୁନ୍ନୀ ଦେବୀ ପ୍ରମୁଖ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ରାଧା କୁମାରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଗତ ଫେବ୍ରୁଆରି ୧ ତାରିଖରେ ସେମାନେ ରାଧା କୁମାରୀଙ୍କୁ ପୋଡ଼ି ଦେବା ପରେ ଆରଜିଏଚରେ ଭର୍ତି କରିଥିଲେ। ସେତେବେଳକୁ ରାଧା ପ୍ରାୟ ୬ ମାସର ଗର୍ଭବତୀ ଥିଲେ। ଗତ ୩ ତାରିଖରେ ଗର୍ଭସ୍ଥ ଶିଶୁଟି ପ୍ରାଣ ହରାଇଥିଲା ଏବଂ ଗତକାଲି ରାତିରେ ରାଧା କୁମାରୀଙ୍କର ମୃତ୍ୟୁ ଘଟିଥିଲା। ଅଭିଯୋଗ ପାଇବା ପରେ ବନ୍ଧମୁଣ୍ଡା ଥାନା ପୋଲିସ ରାଧା କୁମାରୀଙ୍କର ଶବ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଛି।