ଥାନାରେ ମହିଳାଙ୍କୁ ମାଡ଼: ୨ ହାବିଲଦାର ନିଲମ୍ବିତ, ୩ ଏସପିଓ ବହିଷ୍କୃତ

ବଲ୍ଲଭଗଡ଼: ହରିୟାଣାର ବଲ୍ଲଭଗଡ଼ ଅନ୍ତର୍ଗତ ଆଦର୍ଶନଗର ଥାନାରେ ଜଣେ ମହିଳାଙ୍କୁ ପଚରାଉଚରା କରିବା ସମୟରେ ପୁଲିସ ମାଡ଼ ମାରିଛି। ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ସମ୍ପୃକ୍ତ ୨ ହାବିଲଦାରଙ୍କୁ ନିଲମ୍ବିତ କରାଯାଇଥିବାବେଳେ ୩ଜଣ ଏସପିଓଙ୍କୁ ବହିଷ୍କାର କରାଯାଇଛି। ଏହା ସହିତ ସେମାନଙ୍କ ବିରୋଧରେ ମାରପିଟ୍‌ ଏବଂ ମହିଳାଙ୍କ ସମ୍ମାନ ହାନି କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।

ପୁଲିସ କମିଶନର ସଞ୍ଜୟ କୁମାର କହିଛନ୍ତି ଯେ, ଆଦର୍ଶନଗର ଥାନାର ହାବିଲଦାର ରୋହିତ ଏବଂ ବଲଦେବଙ୍କ ସମେତ ଏସପିଓ କୃଷ୍ଣା ପାଲ, ଦିନେଶ ଏବଂ ହରପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏସପିଓ ହରପାଲ ଏବଂ ଦିନେଶଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ମୁତାବକ ଏହି ଘଟଣା ୨୦୧୮ ମସିହାର। ସୋସିଆଲ ମିଡିଆରୁ ଘଟଣା ବିଷୟରେ ଜଣାପଡ଼ିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁଲିସ ବର୍ତ୍ତମାନ ପୀଡ଼ିତା ମହିଳାଙ୍କୁ ଖୋଜୁଛି।

ସୂଚନା ମୁତାବକ, ସୋମବାର ସକାଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଜଣେ ପୁଲିସ କର୍ମଚାରୀ ମହିଳାଙ୍କୁ ପଚରାଉଚରା କରୁଥିବା ବେଳେ ଅନ୍ୟ ୨ଜଣ ପୁଲିସ କର୍ମଚାରୀ ମହିଳାଙ୍କୁ ବେଲ୍‌ଟରେ ପଟୁଥିବା ଦେଖିବାକୁ ମିଳିଛି। ସେଠାରେ ଉପସ୍ଥିତ ଏସପିଓ ବି ମହିଳାଙ୍କ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରି କଥାବାର୍ତ୍ତା କରୁଥିବା ଦେଖାଯାଇଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ ବିଭାଗରେ ହଟଚମଟ ସୃଷ୍ଟି ହୋଇଥିଲା। ପରେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନା ଅନୁସାରେ, ଏକ ପାର୍କରେ ଜଣେ ବ୍ୟକ୍ତିଙ୍କ ସହିତ ମହିଳା ଜଣକ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ସୂଚନା ପାଇ ପୁଲିସ ସେଠାରେ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ବ୍ୟକ୍ତି ଜଣକ ଖସି ପଳାଇଥିଲେ। ପରେ ପୁଲିସ ମହିଳାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ମହିଳା ଜଣକ କୌଣସି ଉତ୍ତର ନ ଦେବାରୁ ତାଙ୍କୁ ମାଡ଼ ମରାଯାଇଥିଲା।