ସ୍ମାର୍ଟସିଟିରେ ଛୁଆ ସାମ୍ନାରେ ମା’କୁ ଦୁର୍ବୃତଙ୍କ ବିଧା ଗୋଇଠା

ଭୁବନେଶ୍ବର: ପୁଣି ମହିଳା ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ବିଚ୍ ରାସ୍ତାରେ ମହିଳାଙ୍କୁ ଦୁର୍ବୃତଙ୍କ ମାଡ । ଏ ଘଟଣା ବିନ୍ଦୁସାଗର ପ୍ଲଟ ନମ୍ବର ୨୨୬୩ର । ପିଲାଙ୍କ ଆଗରେ ମା’କୁ ନିର୍ଦ୍ଧୁମ ପିଟିଲେ ଦୁର୍ବୃତ । ବିଧା, ଗୋଇଠା ସହ ତଳେ ପକାଇ ମାରିଲେ ମାଡ । ଏଭଳି ମରଣାନ୍ତକ ଆକ୍ରମଣର ଚିତ୍ର ସାମ୍ନାକୁ ଆସିଛି କମିସନରେଟ ପୋଲିସର ଲିଙ୍ଗରାଜ ଥାନା ଅଂଚଳରୁ । ଆଉ ଏସବୁ କଏଦ ହୋଇଛି ସିସିଟିଭିରେ ।

ତେବେ ମାଡ ମାରିଥିବା ଅଭିଯୁକ୍ତଙ୍କ ବିରୋଧରେ ଜମି ଜବର ଦଖଲ ନେଇ ଜାନୁୟାରୀ ମାସରୁ ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ରାଗ ରଖି ସବିତା ସେଠି ନାମକ ମହିଳାଙ୍କୁ ତାଙ୍କ ଘର ସାମ୍ନାରେ ଗୋଡାଇ ଗୋଡାଇ ମାରିଛନ୍ତି ଏହି ଦୁର୍ବୃତ । ଆଉ ଏବେ ପ୍ରଶ୍ନ ଉଠୁଛି କମିସନରେଟ ପୋଲିସର ମହିଳା ସୁରକ୍ଷା ବ୍ୟବସ୍ଥା ଉପରେ ।

ଅପରାଧିଙ୍କ ଉତ୍ପାତ ସତ୍ତ୍ବେ ହେଉନି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ । ତେବେ ଏଭଳି ଘଟଣା ନୂଆ ନୁହେଁ ପୂର୍ବରୁ ଅର୍ଥାତ ଫେବୃୟାରୀ ୯ ତାରିଖ ୨୦୨୦ ଶହିଦନଗର ଥାନା ପ୍ଲଟ ନମ୍ବର ୧୩୩ରେ ଜମିଜମା ବିବାଦ ନେଇ ଦୁର୍ବୃତମାନେ ମଚାଇଥିଲା ଆତଙ୍କ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଯାଁଏ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ ବସିଛି କମିସନରେଟ ପୋଲିସ ।

ସେପଟେ ନଭେମ୍ବର ୧୬ ତାରିଖ ୨୦୧୯ ମଂଚେଶ୍ୱର ଥାନା ପଳାଶୁଣି ସତ୍ୟବିହାରର ମହିଳା ଯମୁନା ଦାସଙ୍କୁ ଘରେ ପଶି ଚୁଟି ଟାଣି ମରଣାନ୍ତକ ଆକ୍ରମଣ ସତ୍ୱେ ମାମଲା ରଫାଦଫା କରିଦେଲା କମିଶନରେଟ ପୋଲିସ ।