ପୁରୁଷ ହକି ବିଶ୍ୱକପ : କ୍ୱାର୍ଟ ର୍ ଫାଇନାଲରେ ଅଷ୍ଟ୍ରେଲିଆ

ଭୁବନେଶ୍ୱର : ଇଂଲଣ୍ଡକୁ ହରାଇ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ କ୍ରମାଗତ ବିଜୟ ସହ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ୧୪ତମ ପୁରୁଷ ହକି ବିଶ୍ୱକପ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ-ବି’ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୩- ୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି । ଚୀନ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ମୁକାବିଲା ୧-୧ ଗୋଲ୍ରେ ଡ୍ର’ ରହିଛି ।

ଏହି ଫଳାଫଳ ପରେ ଅଷ୍ଟ୍ରେଲିଆ ସର୍ବାଧିକ ୬ ପଏଣ୍ଟ ପାଇ ଗ୍ରୁପ୍ରେ ପ୍ରଥମ ସ୍ଥାନରେ ରହିବା ସହ ପ୍ରଥମ ଦଳ ଭାବେ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି । ଅଷ୍ଟ୍ରେଲିଆ ପଛକୁ ଚୀନ ୨, ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗୋଟିଏ ଲେଖାଏଁ ପଏଣ୍ଟ ସଂଗ୍ରହ କରିଛନ୍ତି । ଶୁକ୍ରବାର ଖେଳାଯିବାକୁ ଥିବା ଶେଷ ଲିଗ୍ ମ୍ୟାଚରେ ଚୀନଠାରୁ ଅଷ୍ଟ୍ରେଲିଆ ହାରିଗଲେ ମଧ୍ୟ ଗ୍ରୁପ୍ର ଶୀର୍ଷସ୍ଥାନ ବଜାୟ ରଖିବ ଏବଂ ବିଶ୍ୱକପ୍ ନିୟମ ଅନୁଯାୟୀ ସିଧାସଳଖ କ୍ୱାର୍ଟର୍ ଫାଇନାଲ ଖେଳିବ ।

ଚୀନ ୨ପଏଣ୍ଟ ପାଇଥିବାରୁ ପ୍ରଥମ ବିଶ୍ୱକପ ପଦାର୍ପଣରେ କ୍ରସ୍ଓଭର ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା ସୃଷ୍ଟି କରିଛି । ସେହିପରି ଆୟର୍ଲାଣ୍ଡ-ଇଂଲଣ୍ଡ ମୁକାବିଲାରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ କ୍ରସ୍ ଓଭରକୁ ଯିବ ଏବଂ ପରାଜିତ ଦଳ ପ୍ରତିଯୋଗିତାରୁ ବିଦାୟ ନେବ । ଅନ୍ୟପକ୍ଷରେ ବୁଧବାର ଗ୍ରୁପ୍-ଡି’ରେ ପ୍ରଥମ ମ୍ୟାଚ ୩ ଥର ଚାମ୍ପିଅନ୍ ନେଦରଲାଣ୍ଡ ବନାମ ୨ଥର ଜର୍ମାନୀ ଓ ଦ୍ୱିତୀୟ ମ୍ୟାଚ ୪ଥର ଚାମ୍ପିଅନ୍ ପାକିସ୍ତାନ ଓ ମାଲେସିଆ ମଧ୍ୟରେ ଖେଳାଯିବ ।

ମଙ୍ଗଳବାର ମ୍ୟାଚ୍ରେ ଅଷ୍ଟ୍ରେଲିଆର ମାଥ୍ୟୁ ସ୍ୱାନ୍ ଓ ଆୟର୍ଲାଣ୍ଡର ଆଲାନ ସୋଦେର୍ଣ୍ଣ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ପ୍ରଥମ ମ୍ୟାଚରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଏବଂ ଦ୍ୱିତୀୟ ମ୍ୟାଚରେ ସାଂସଦ ଭର୍ତ୍ତୃହରି ମହତାବ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବାବଦରେ ଟ୍ରଫି ସହ ୫୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।