କରୋନା ସଂକ୍ରମିତ ତାଲିକାରେ ଇଟାଲୀକୁ ପଛରେ ପକାଇ ଷଷ୍ଠ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଆଜିକାଲି ଭାରତ ସମେତ ବିଶ୍ୱର ଅନେକ ଦେଶ ମହାମାରୀ କରୋନା ସହ ମୁକାବିଲା କରିବା ନେଇ ସଂଘର୍ଷ କରୁଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଭାରତରେ ଏପର୍ଯ୍ୟନ୍ତ ୨,୩୬,୬୫୭  ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ୬୬୪୨ ରୋଗୀଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୧,୧୪,୦୭୩ ସକ୍ରିୟ ମାମଲା ରହିଥିବାବେଳେ ଏବଂ ୧,୧୫ ,୯୪୨ ଜଣ ଲୋକ ଆରୋଗ୍ୟ ହୋଇଛନ୍ତି।

ଏଥି ସହିତ, ବିଶ୍ୱ ବ୍ୟାପୀ କରୋନାଭାଇରସ୍ ପଜିଟିଭ୍ ରୋଗ ସଂଖ୍ୟା ୬୮ ଲକ୍ଷକୁ ବୃଦ୍ଧି ପାଇଛି। ଏଥିସହ ୩ ଲକ୍ଷ ୯୭ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟକ କରୋନା ତଥ୍ୟ ଅନୁଯାୟୀ, ବିଶ୍ୱର ସଂକ୍ରମିତ ଦେଶର ତାଲିକାରେ ଭାରତ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛି । ଇଟାଲୀ ବର୍ତ୍ତମାନ ସାତ ନମ୍ବର ସ୍ଥାନରେ ଅଛି | ଜନ୍ ହପକିନ୍ସଙ୍କ ଟେବୁଲ୍ ଅନୁଯାୟୀ ଭାରତରେ କରୋନା ମାମଲା ୨,୩୬,୧୮୪ କୁ ବୃଦ୍ଧି ପାଇଥିବାବେଳେ ଇଟାଲୀରେ ୨,୩୪,୫୩୧ ମାମଲା ରହିଛି ।

ଭାରତ ଉପରକୁ ତାଲିକାରେ ପଞ୍ଚମ ସ୍ଥାନରେ ସ୍ପେନ(୨,୪୦,୯୭୮ ) ଚତୁର୍ଥ ସ୍ଥାନରେ ୟୁକେ (୨,୮୪,୭୩୪ ) ତୃତୀୟ ସ୍ଥାନରେ ଋଷ (୪,୪୯,୨୫୬ ) ଦ୍ୱିତୀୟ ସ୍ଥାନରେ ବ୍ରାଜିଲ(୬,୧୪,୯୪୧ ) ଏବଂ ପ୍ରଥମ ସ୍ଥାନରେ ଯୁକ୍ତରାଷ୍ଟ୍ର ଆମେରିକା (୧୮,୯୭,୮୩୮ ) ରହିଥିବା ଜଣାପଡିଛି ।