ଭାରତକୁ ୩୧୬ ରନର ଟାର୍ଗେଟ ଦେଲା ୱେଷ୍ଟଇଣ୍ଡିଜ୍

କଟକ: କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ତିନି ମ୍ୟାଚର ଅନ୍ତିମ ଲଢ଼େଇରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୩୧୫ ରନ୍ କରିଛି । ତେବେ ଭାରତ ଜିତିବା ପାଇଁ ତାକୁ ୩୧୬ରନ୍ କରିବାକୁ ପଡିବ । ଟସ୍ ଜିତି ଭାରତ ଫିଲ୍ଡିଂର ନିଷ୍ପତି ନେଇଥିଲା । ଫଳରେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ଆରମ୍ଭ କରିଥିଲା ।

ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜ ପ୍ରାରମ୍ଭରୁ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲା। ଦୁଇ ଓପନର ଏଭିନ ଲୁଇସ୍ ଓ ସାଇ ହୋପ୍ ରକ୍ଷଣାତ୍ମକ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟରେ ୫୭ ରନ ଯୋଡ଼ି ଦଳକୁ ଭଲ ଆରମ୍ଭ ଦେଇଥିଲେ। ୧୫ତମ ଓଭରରେ ଭାରତକୁ ପ୍ରଥମ ସଫଳତା ମିଳିଥିଲା। ରବିନ୍ଦ୍ର ଜାଡ଼େଜା ଏଭିନ ଲୁଇସ୍(୨୧)ଙ୍କୁ ଆଉଟ୍ କରି ପାଭିଲିୟନ ପଠାଇଥିଲେ। ଏହା ପରେ ୭୦ ରନ ସ୍କୋରରେ ଇନ ଫର୍ମ ବ୍ୟାଟସମ୍ୟାନ ସାଇ ହୋପଙ୍କୁ  କ୍ଲିନ୍ ବୋଲ୍ଡ କରି ମହମ୍ମଦ ସାମି ଭାରତକୁ ବହୁତ ବଡ଼ ସଫଳତା ଦେଇଥିଲେ। ସାଇ ହୋପ୍ ୫୦ ବଲରୁ ୫ ଚୌକା  ଜରିଆରେ ୪୨ ରନର ଉଲ୍ଲେଖନୀୟ ପାଳି ଖେଳି ପାଭିଲିୟନ ଫେରିଥିଲେ।

ଏହା ପରେ ମଧ୍ୟ କ୍ରମରେ ରୋଷ୍ଟନ ଚେଜ୍ ଓ ସିମରନ ହେଟମାୟର ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ ପାଇଁ ୬୨ ରନ ଯୋଡ଼ି ଦଳର ସ୍ଥିତିକୁ ମଜଭୁତ କରିଥିଲେ। ବିଶେଷ କରି ହେଟମାୟର ଦ୍ରୁତ ଗତିରେ ବ୍ୟାଟିଂ କରିଥିଲେ। ୧୩୨ ସ୍କୋରରେ ହେଟମାୟରଙ୍କୁ ଆଉଟ୍ କରି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ନିଜର ପ୍ରଥମ ଓ୍ଵିକେଟ୍ ନେଇଥିଲେ ନବଦୀପ ସାଇନି। ହେଟମାୟର ୩୩ ବଲରୁ ୨ ଟି ଚୌକା ଓ ୨ଟି ଛକା ଜରିଆରେ ୩୭ ରନ କରିଥିଲେ। ରୋଷ୍ଟନ ଚେଜ୍ ୩୮ ରନ କରି ନବଦୀପ ସାଇନିଙ୍କ ଦ୍ଵିତୀୟ ଶିକାର ହୋଇଥିଲେ।

୧୪୪ରେ ୪ ଓ୍ଵିକେଟ୍ ହରାଇଥିବା ଓ୍ଵେଷ୍ଟଇଣ୍ଡିଜର ପାଳିକୁ ନିକୋଲାସ ପୂରନ ଓ ଅଧିନାୟକ କିରଣ ପୋଲାର୍ଡ ଆଗକୁ ନେଇଥିଲେ। ଉଭୟ ଦ୍ରୁତ ଗତିରେ ବ୍ୟାଟିଂ କରିଥିଲେ। ଏହି କ୍ରମରେ ନିକୋଲାସ ପୂରନ ୪୮ ବଲରୁ ଦିନିକିଆ କ୍ରିକେଟରେ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିଥିଲେ। ଉଭୟ ବ୍ୟାଟସମ୍ୟାନ ଚୌକା ଓ ଛକା ବର୍ଷା କରି ଭାରତୀୟ ବୋଲରଙ୍କୁ ପ୍ରହାର କରିଥିଲେ। ପୁରନ ଓ ପୋଲାର୍ଡ ପଂଚମ ଓ୍ଵିକେଟରେ ୧୩୫ ରନ ଯୋଡ଼ି ଦଳର ସ୍କୋରକୁ ୩୦୦ ପାଖାପାଖି ପହଂଚାଇଥିଲେ। ଦ୍ରୁତ ବ୍ୟାଟିଂ କରି ଶତକ ଆଡ଼କୁ ମୁହାଁଉଥିବା ପୂରନଙ୍କୁ ଆଉଟ୍ କରି ଶାର୍ଦ୍ଦୁଳ ଠାକୁର ଭାରତକୁ ଆଶ୍ଵସ୍ତି ଦେଇଥିଲେ। ପୂରନ ୬୪ ବଲରୁ ୧୦ ଚୌକା ଓ ୩ ଛକା ଜରିଆରେ ୮୯ ରନର ଧୂଆଁଧାର ଇନିଂସ ଖେଳିଥିଲେ।

ଅନ୍ୟପଟେ ଅଧିନାୟକ କିରଣ ପୋଲାର୍ଡ ଦ୍ରୁତ ବ୍ୟାଟିଂ କରି ଦିନିକିଆ କ୍ରିକେଟରେ ନବମ ଅର୍ଦ୍ଧଶତକ ପୂରଣ କରିଥିଲେ। ପୋଲାର୍ଡ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୫୧ ବଲରୁ ୩ ଚୌକା ଓ ୭ ଛକା ଜରିଆରେ ୭୪ ରନର ଧୂଆଁଧାର ପାଳି ଖେଳି ଦଳର ସ୍କୋରକୁ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟରେ ୩୧୫ ରନରେ ପହଞ୍ଚାଇଛନ୍ତି। ପୋଲାର୍ଡଙ୍କ ସହ ଜାସନ ହୋଲଡର ୭ ରନ କରି ଅପରାଜିଥିଲେ।

ଭାରତ ପକ୍ଷରୁ ନବଦୀପ ସାଇନି ଓ ରବିନ୍ଦ୍ର ଜାଡ଼େଜାଙ୍କୁ ବାଦ୍ ଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ  ହୋଇଛନ୍ତି। ପଦାର୍ପଣ ମ୍ୟାଚ୍ ଖେଳିଥିବା ନବଦୀପ ସାଇନି ୨ଟି ସଫଳତା ପାଇଥିବା ବେଳେ  ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି ଓ ରବିନ୍ଦ୍ର ଜାଡ଼େଜା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।