ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେ ଏଥିପାଇଁ ନିଜର ଟୁଇଟ୍ ଯୋଗେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି,‘ ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ। ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ।’

ରାଜଧାନୀ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ କରୋନା ବିରୋଧରେ ଦୃଢ଼ତାର ସହ ଲଢ଼ିବାକୁ ଆହ୍ୱାନ ଦେଇଛନ୍ତି। ସେ ଏଥିପାଇଁ ନିଜର ଟୁଇଟ୍ ଯୋଗେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ,’ ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ବର୍ତମାନ ସମୟର ଆହ୍ୱାନ ହେଉଛି କରୋନା ବିରୋଧରେ ଏହି ଲଢେଇକୁ ଦୃଢତାର ସହ ଲଢ଼ିବା। ଆସନ୍ତୁ, ଏକ ହୋଇ ଏ ଯୁଦ୍ଧ ଜିତିବା।’

ସେହିପରି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ଟୁଇଟ୍ ଯୋଗେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆଜିର ଦିନ କରୋନା ବିରୋଧରେ ବିଜୟ ସଂକଳ୍ପ ଦିବସ ହେଉ ବୋଲି ଜନ ସାଧାରଣଙ୍କୁ ସେ ଆହ୍ୱାନ କରିଛନ୍ତି।