ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି । ଏହି ଅଧିବେଶନରେ ନାଗରିକତା ବିଲ ସମେତ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ବିଲ ଗୃହୀତ ହୋଇପାରେ । ଶୀତକାଳୀନ ଅଧିବେଶନ ଡିସେମ୍ବର ୧୩ ଯାଏଁ ଜାରି ରହିବ । ଦୀର୍ଘ ୨୬ ଦିନିଆ ଅଧିବେଶନରେ ୨୦ଟି କାର୍ଯ୍ୟ ଦିବସ ରହିବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳର ନେତାମାନେ ରଣନୀତି ପ୍ରସ୍ତୁତ କରିଛନ୍ତି । ଭାରତୀୟ ଜନତା ପାର୍ଟି ନାଗରିକତା ବିଲ ଗୃହୀତ କରିବାକୁ ଲକ୍ଷ୍ୟ ରଖିଛି । ବର୍ଷ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତ ଆସିଥିବା ଅଣ-ମୁସଲମାନଙ୍କ ପାଇଁ ଏହି ବିଲ ଆସିବ । 

ସଂସଦର ଶୀତକାଳୀନ ଅଧିବେଶନରେ ପର୍ସନାଲ ଡାଟା ପ୍ରୋଟେକାନ ବିଲ ୨୦୧୯, ଆଣ୍ଟି ମେରିଟାଇମ ପ୍ରାଇସି ବିଲ ୨୦୧୯ ଓ ଟ୍ରାନ୍ସଜେଣ୍ଡର ପର୍ସନ ବିଲ ୨୦୧୯ ସହ ୪୭ଟି ବିଲ ଉପରେ ଆଲୋଚନା ହେବ । ଏଥି ମଧ୍ୟରୁ କିଛି ଗୃହୀତ ହୋଇପାରେ । 

ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସର୍ବଦଳୀୟ ବୈଠକରେ ଯୋଗଦେଇଛନ୍ତି । ଏହି ବୈଠକରେ ମୋଦୀ କହିଛନ୍ତି, ବାକି ଥିବା କାମ ସୂଚାରୁ ରୂପେ ଶେଷ କରିବା ପାଇଁ ସରକାର ସବୁ ଦଳର ସହଯୋଗ କାମନା କରୁଛନ୍ତି । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ତାୱରଚାନ୍ଦ ଗେହଲୋତ, ଭି ମୁରଲିଧରନ ଓ ଅର୍ଜୁନ ରାମ ମେଘୱାଲଙ୍କ ସମେତ ଅନ୍ୟ ସାଂସଦମାନେ ଉପସ୍ଥିତ ଥିଲେ । 

ବିରୋଧୀ ଦଳ ନେତା ତଥା ଟିଡ଼ିପିର ଜୟଦେବ ଗଲା, କଂଗ୍ରେସର ଗୁଲାମ ନବୀ ଆଜାଦ, ଅଧୀର ରଂଜନ ଚୌଧୁରୀ ଓ ବିଏସପିର ସତୀଶ ମିଶ୍ର ଉପସ୍ଥିତ ଥିଲେ । ସେହିପରି ତୃଣମୂଳ କଂଗ୍ରେସରୁ ଡେରାକ ଓ ବିରେନ, ସୁଦୀପ ବନ୍ଦୋପାଧ୍ୟାୟ, ଏଲଜେପିର ଚିରାଗ ପାସୱାନ, ଆରପିଆଇ ରାମଦାସ ଅତୱାଲେ, ଏଆଇଡିଏମକେର ନଭନୀତ କ୍ରିଷ୍ଣା ଓ ଅପନା ଦଳର ଅନୁପ୍ରିୟା ପଟେଲ ଉପସ୍ଥିତ ଥିଲେ ।