୬ ମାସ ପରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପୁଣି ଉଡାଇଲେ ମିଗ୍ ୨୧

ନୂଆଦିଲ୍ଲୀ:ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ମିଗ-୨୧ ବିମାନରୁ ପାକିସ୍ତାନର ଏଫ-୧୬ ବିମାନକୁ ଧ୍ୱଂସ କରିଥିବା ଭାରତର ବୀର ପାଇଲଟ ତଥା ବୀରଚକ୍ର ବିଜେତା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ୬ ମାସ ପରେ ପୁଣି ମିଗ-୨୧ ବିମାନ ଉଡାଇଛନ୍ତି ।

ଫେବ୍ର୍ରୁଆରୀ ୨୭ରେ ସେ ପାକିସ୍ତାନୀ ବିମାନକୁ ଧ୍ୱଂସ କରିବା ପରେ ତାଙ୍କ ବିମାନଟି କ୍ଷତିଗ୍ରସ୍ତ ହୋଇଥିଲା । କିନ୍ସୁ ସେ ସଫଳତା ପୂର୍ବକ ବାହାରି ଆସିଥିଲେ । ତେବେ ସେ ପାକ୍ ଅଧିକୃତ କାଶ୍ମୀରରେ ଅବତରଣ କରିଥିଲେ । ଯେଉଁଠାରେ ସ୍ଥାନୀୟ ଲୋକେ ତାଙ୍କୁ ପାକ୍ ସେନାରେ ଦେବା ପୂର୍ବରୁ ଆକ୍ରମଣ କରିଥିଲେ । ଏଥିରେ ସେ ଆହତ ହୋଇଥିଲେ । ପରେ ଭାରତ ଚାପ ପ୍ରୟୋଗ କରି ପାକିସ୍ତାନରୁ ଅଭିନନ୍ଦନକୁ ଆଣିଥିଲା ।

ସେନାର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଅଭିନନ୍ଦନ ବିମାନ ଉଡାଣ କରିବା ଆରମ୍ଭ କରିଛନ୍ତି । ସେ ଏବେ ରାଜସ୍ଥାନରେ ବାୟୁସେନାର ଏକ କ୍ୟାମ୍ପରେ ଅଛନ୍ତି । ବାୟୁସେନାର ବାଙ୍ଗାଲୋରରେ ଥିବା ଏୟାରୋସ୍ପେସ ମେଡିସିନ ସଂସ୍ଥାନରେ ତିନି ସପ୍ତାହ ତଳେ ତାଙ୍କର ଚିକିତ୍ସା ପରେ ତାଙ୍କୁ ଉଡାଣ ଭରିବା ପାଇଁ ଅନୁମତି ମିଳିଥିଲା ।

ସୂଚନାଯୋଗ୍ୟ, ପାକିସ୍ତାନରୁ ଫେରିବା ପରେ ଅଭିନନ୍ଦନ ବିମାନ ଉଡାଇବା ପାଇଁ ଇଚ୍ଛୁକ ଥିବା ନିଜର ସିନିୟର ଅଫିସରଙ୍କୁ କହିଥିଲେ ।