ଇସ୍ଲାମାବାଦ୍: ଭାରତ ବିରୋଧରେ ଘୃଣ୍ୟ ପ୍ରଚାରପୂର୍ବକ ପାକିସ୍ତାନ କରାଚି ଠାରେ ଥିବା ବାୟୁସେନା ଯୁଦ୍ଧ ସଂଗ୍ରାହାଳୟରେ ଭାରତୀୟ ବାୟୁସେନା ପାଇଲଟ୍ ଉଇଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କର ମୂର୍ତ୍ତି ପ୍ରଦର୍ଶନ କରିଛି।
ପାକିସ୍ତାନୀ ସାମ୍ବାଦିକ ଏବଂ ରାଜନୈତିକ ସମୀକ୍ଷକ ଅନ୍ଓ୍ଵାର୍ ଲୋଧି ସେହି ମୂର୍ତ୍ତିର ଗୋଟାଏ ଫଟୋ ଟୁଇଟର୍ରେ ପୋଷ୍ଟ୍ କରିଛନ୍ତି। ସେଥିରେ ସେ ଲେଖିଛନ୍ତି: ଯାଦୁଘରେ ପ୍ରଦର୍ଶନ ନିମନ୍ତେ ପିଏଏଫ୍ ଅଭିନନ୍ଦନଙ୍କର ମୂର୍ତ୍ତିଟାଏ ରଖିଛି। ଯଦି ତାଙ୍କ ହାତରେ ବଢ଼ିଆ ଚା କପେ ଧରାଇବାର ବ୍ୟବସ୍ଥା କରିପାରନ୍ତେ ଆହୁରି ବଢ଼ିଆ ହୁଅନ୍ତା।
ପାକିସ୍ତାନୀ ସୈନିକଙ୍କ ପାଖରେ ଠିଆ ହୋଇଥିବା ଅଭିନନ୍ଦନଙ୍କ ମୂର୍ତ୍ତିର ବାମ ପଟରେ ମଗ୍ଟିଏ ରଖାଯାଇଥିବା ଦୃଶ୍ୟ ଲୋଧି ସେୟାର୍ କରିଥିବା ଫଟୋରେ ଦେଖାଯାଉଛି। ଗୋଟିଏ କାଚ ସୋକେସ୍ ଭିତରେ ଏସବୁ ପ୍ରଦର୍ଶନ କରାଯାଇଛି।