ଜୈସ ଉପରେ ଇମ୍ରାନ କିପରି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତା ଉପରେ ଏବେ ସମସ୍ତଙ୍କ ଆଖି

ପୁଲଓ୍ବାମା ଆକ୍ରମଣ ଘଟଣାରେ ଜୈସ-ଇ-ମୋହମ୍ମଦର ସଂପୃକ୍ତି ସଂପର୍କରେ ପାକିସ୍ତାନକୁ ଭାରତ ସରକାର ସବୁ ପ୍ରକାରର ତଥ୍ୟପ୍ରମାଣ ହସ୍ତାନ୍ତର କରିବା ପରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଏବ ସମସ୍ତଙ୍କ ଦୃଷ୍ଟି । ସେ କିପରି ଜୈସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଉପରେ କେବଳ ଭାରତ ନୁହେଁ ସାରା ଦୂନିଆର ଆଖି ରହିଛି ।

ଶାନ୍ତି ପାଇଁ ସେ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଛାଡିବା କଥା କହୁଥିବାବେଳେ କିନ୍ତୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସଂପର୍କରେ କିଛି କହିନାହାନ୍ତି । ସମଗ୍ର ବିଶ୍ବର ଶକ୍ତିଶାଳୀ ଦେଶମାନେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ପରେ ଇମ୍ରାନଙ୍କ ଉପରେ ଚାପ ବଢିଯାଇଛି । ଭାରତ ପକ୍ଷରୁ ଦିଆଯାଇଥିବା ଡୋଜିଆରରେ ବିଭିନ୍ନ କାଗଜପତ୍ର, ଅଡିଓ ଓ ଭିଡିଓ ରହିଛି । ଏଥିରେ ଜୈସର ତାଲିମ, ପୁଲଓ୍ବାମା ଆକ୍ରମଣ ସଂପର୍କରେ ମାସୁଦ ଆଜାରର ସଂପୃକ୍ତି, ଯୋଜନା, ଆତ୍ମଘାତି ଆତଙ୍କବାଦୀ ଓ ଜୈସ କମାଣ୍ଡରଙ୍କ ମଧ୍ୟରେ ଟେଲିଫୋନ କଥାବାର୍ତ୍ତା ଆଦି ସଂପର୍କରେ ତଥ୍ୟ ରହିଛି ବୋଲି ଜଣାପଡିଛି ।