ମହାରାଷ୍ଟ୍ରରେ ଖୁବଶୀଘ୍ର ମେଣ୍ଟ ସରକାର ନେଇ ଘୋଷଣା କଲା କଂଗ୍ରେସ

ମୁମ୍ବାଇ: ମହାରାଷ୍ଟ୍ରରେ ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ସରକାର ଗଠନ ସ୍ପଷ୍ଟ ସ୍ଥିତିକୁ ଆସିଛି। କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଏନ୍‌ସିପିର ବୈଠକ ପରେ ଏନେଇ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଖୁବ୍‌ଶୀଘ୍ର ମହାରାଷ୍ଟ୍ରରେ ସ୍ଥିର ସରକାର ଆସିବ। ତେବେ ଏନ୍‌ସିପି ସହ ଆଲୋଚନା ଜାରି ରହିବ ବୋଲି ସେ କହିଛନ୍ତି।

ଆଜି ବୈଠକରେ କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖାଡ଼ଗେ, କେସି ଭେନୁଗୋପାଲ, ଅହମ୍ମଦ ପଟେଲ, ଜୟରାମ ରମେଶ , ପୃଥ୍ୱୀରାଜ ଚୌହାନ ଏବଂ ନସୀମ୍‌ ଖାନ୍‌ ଉପସ୍ଥିତ ଥିଲେ। ସେହିଭଳି ଏନ୍‌ସିପି ପକ୍ଷରୁ ଶରଦ ପାୱାର, ଅଜିତ ପାୱାର, ସୁପ୍ରିୟା ସୁଲେ ଏବଂ ସୁନୀଲ ଟଟ୍‌କରେ ଉପସ୍ଥିତ ଥିଲେ। ଏହି ବୈଠକ ପୂର୍ବରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ମେଣ୍ଟ ପାଇଁ ସହମତି ଦେଇଥିବା କୁହାଯାଇଥିଲା।

ଅନ୍ୟପକ୍ଷରେ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଖୁବ୍‌ଶୀଘ୍ର କମନ୍‌ ମିନିମମ୍‌ ପ୍ରୋଗ୍ରାମ୍‌ ଚୂଡ଼ାନ୍ତ ହେବ। ତେଣୁ ମହାରାଷ୍ଟ୍ରରେ ବର୍ତ୍ତମାନ ଲାଗିଥିବା ରାଷ୍ଟ୍ରପତି ଶାସନ କେନ୍ଦ୍ର ସରକାର ପ୍ରତ୍ୟାହାର କରିବାକୁ ସେ କହିଛନ୍ତି।