ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଅଚାନକ ଉଚ୍ଚଶିକ୍ଷା ଓ ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ବଦଳି ହେଲା । ଜିଭିଭି ଶର୍ମାଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟ ଓ ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଲା । ବ୍ଲକ୍ଗ୍ରାଂଟ୍ ଶିକ୍ଷକ ଓ ଅଧ୍ୟାପକଙ୍କ ଦ୍ୱାରା ଦାଖଲ ହେବାକୁ ଥିବା ସତ୍ୟପାଠକୁ ନେଇ ଜିଭିଭି ଶର୍ମା ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁ ତାଙ୍କର ବଦଳି ହୋଇପାରେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା । କିନ୍ତୁ ବିଷ୍ଣୁପଦ ସେଠୀଙ୍କୁ ଗ୍ରାମ୍ୟ ଉନ୍ନୟନ ଭଳି ଦୁହାଁଳିଆ ବିଭାଗରୁ କାଢ଼ି ଦୈନିକ ମୁଣ୍ଡବ୍ୟଥା ବଢ଼ାଉଥିବା ବିଭାଗ ଉଚ୍ଚଶିକ୍ଷାରେ କାହିଁକି ନିୟୋଜିତ କରାଗଲା ତାକୁ ନେଇ ଚର୍ଚ୍ଚା । ଶୁଣିବାକୁ ମିଳୁଛି, ଦୁଇଜଣ ରାଜନେତାଙ୍କ ଯୋଗୁ କୁଆଡ଼େ ବିଷ୍ଣୁପଦଙ୍କୁ ଏହି ପଦ ହରାଇବାକୁ ପଡ଼ିଛି । ବିଜେଡିର ଏହି ଦୁଇ ରାଜନେତା କୁଆଡ଼େ ବହୁ କୋଟି ଟଙ୍କାର ଗୋଟିଏ ପ୍ରକଳ୍ପ କାର୍ଯ୍ୟକୁ ବିନା ଟେଣ୍ଡରରେ କରାଇବାକୁ ଉଦ୍ୟମ କରିଥିଲେ । ଏପରିକି ସମ୍ପୂର୍ଣ୍ଣ ବେଆଇନ ଭାବେ ଏହି ଟେଣ୍ଡରକୁ ହାତେଇବାକୁ କୁଆଡ଼େ ଚାହିଁଥିଲେ । ଏଥିପାଇଁ ଉପରୁ ସମ୍ମତି ଥିବା ସେମାନେ ସଚିବଙ୍କୁ ଜଣାଇଥିଲେ । କିନ୍ତୁ ପ୍ରଚଳିତ ନିୟମରେ ଏଭଳି କରିହେବ ନାହିଁ ବୋଲି କହି ଶ୍ରୀ ସେଠୀ କୁଆଡ଼େ ଧରାଛୁଆଁ ଦେଲେନି । ଯେଉଁଥିପାଇଁ ତାଙ୍କଠୁ ଗ୍ରାମ୍ୟ ଉନ୍ନୟନ ବିଭାଗରୁ କାଢ଼ି ନିଆଗଲା । ଆଉ ଏଭଳି ଜଣେ ସଚିବଙ୍କୁ ସେହି ଦାୟିତ୍ୱ ନ୍ୟସ୍ତ ହୋଇଛି ଯାହାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ରାଜ୍ୟର ଭୌଗଳିକ ଓ ଇତିହାସ ସମ୍ପର୍କରେ ସାମାନ୍ୟତମ ସୂଚନା ନଥିବା ଜଣେ ଅଣଓଡ଼ିଆ ମହିଳା ସଚିବଙ୍କୁ ଏହି ପଦରେ ଅବସ୍ଥାପିତ କରାଇ କୁଆଡ଼େ ତୃତୀୟ ମହଲା ସିଧାସଳଖ ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡର କାର୍ଯ୍ୟକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁର କ୍ଷମତା କେନ୍ଦ୍ର ଏଭଳି କାର୍ଯ୍ୟକୁ ନେଇ ମଧ୍ୟ ପ୍ରତିବାଦର ସ୍ୱର ଉଠାଇବାକୁ କେହି ସାହାସ କରିପାରିନାହାନ୍ତି ବୋଲି ଚର୍ଚ୍ଚା ।