ବିଜେପୁର ପାଇଁ କଂଗ୍ରେସର ପ୍ରାର୍ଥୀ ଖୋଜା ଆରମ୍ଭ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର କସରତ । ବରିଷ୍ଠ ନେତା  ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ପ୍ରାର୍ଥୀ ଚୟନ ନେଇ ଆଲୋଚନା ହୋଇଛି । ଆଲୋଚନା ପରେ ଏଆଇସିସିକୁ ପଠାଯିବ ଆଶାୟୀ ପ୍ରାର୍ଥୀଙ୍କ ନାଁ । ଏଆଇସିସିଙ୍କ ଅନୁମୋଦନ ପରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ଏହି ବୈଠକରେ ପିସିସି ସଭାପତିଙ୍କ ସମେତ ସମସ୍ତ ବିଧାୟକ ସାମିଲ ଅଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀରେ ସଙ୍ଗଠନରସ୍ଥିତି  କିପରି ରହିଛି ଏବଂ ସଙ୍ଗଠନକୁ ମଜଭୁତ କରିବା ପାଇଁ ମଧ୍ୟ ସମସ୍ତ ଆଲୋଚନା ହେବାର ସମ୍ଭାବନା ରହିଛି ।

ଉଭୟ ଲୋକସଭା ଓ ବିଧାନସଭାରେ ଶୋଚନୀୟ ପରାଜୟ ପରେ ବିଜେପୁର ଉପରେ କଂଗ୍ରେସର ଫୋକସ୍ ରହିଛି । ସାଧାରଣ ନିର୍ବାଚନରେ ଦଳ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ ମଇଦାନକୁ ଓହ୍ଲାଇଥିଲା । ରିପୁଙ୍କ ଅଭିଜ୍ଞତା ବଳରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଉଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସାମ୍ନାରେ ତିଷ୍ଠି ପାରିନଥିଲେ ରିପୁନାଥ୍ । କଂଗ୍ରେସ ବିଜେପୁରରେ ଶୋଚନୀୟ ପ୍ରଦର୍ଶନ କରିଥିଲା । ତେଣୁ ଦଳ ସ୍ଥାନୀୟ ନେତାଙ୍କୁ ଟିକଟ୍ ଦେବ ନା ବାହାରୁ ପ୍ରାର୍ଥୀ ଆମଦାନୀ କରିବ, ତାହା ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି ।

ସୂଚନା ମୁତାବକ, ୨୦୧୮ରେ ଉପ-ନିର୍ବାଚନ ପରେ ୨୦୧୯ରେ ସାଧାରଣ ନିର୍ବାଚନ ଏବଂ ଏବେ ବିଜେପୁରରେ ପୁଣି ଏକ ଉପ-ନିର୍ବାଚନ ହେବାକୁ ଯାଉଛି । ଦେଢ଼ ବର୍ଷ ଭିତରେ ତୃତୀୟଥର ପାଇଁ ଭୋଟ୍ ଦେବେ ବିଜେପୁରବାସୀ । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁରରେ ହେବ ଉପନିର୍ବାଚନ । କାରଣ ୨୦୧୯ ସାଧାରଣ ନିର୍ବାଚନରେ ଦୁଇଟି ଆସନରୁ ବାଜିମାତ୍ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନ ହିଞ୍ଜିଳିକୁ ରଖି ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ତେବେ ସାମ୍ବିଧାନିକ ନୀତି ଅନୁସାରେ ଏହି ଆସନରେ ପୁଣି ଥରେ ଏବେ ଉପନିର୍ବାଚନ ହେବ ।