ନିର୍ଭୟା ମାମଲା: ଦୋଷୀ ପୱନ ପୁଣି ମାଗିଲା ସମୟ, ନିର୍ଭୟା ମା’ କାନ୍ଦି କହିଲେ ଏଭଳି କଥା

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ୪ ଦୋଷୀ ଦଣ୍ଡ ପାଇବାରେ ବିଳମ୍ବିତ ହେଉଥିବାବେଳେ ଏଥିରୁ ବଂଚିବା ପାଇଁ ଦୋଷୀମାନେ ନୂଆ ନୂଆ ଆଇନ୍ ପ୍ରଣୟନ କରୁଛନ୍ତି । ଯାହାକୁ ନେଇ ନିର୍ଭୟା ମା’ କାନ୍ଦି ଏଭଳି କଥା ବିଚାରପତିଙ୍କୁ ପ୍ରଶ୍ନ କରିଛନ୍ତି ।

ଗତକାଲି ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି ୪ ଦୋଷୀଙ୍କୁ ଶୀଘ୍ର ଫାଶୀଖୁଂଟରେ ଝୁଲାଇବା ପାଇଁ ଏକ ନୂତନ ଡେଥ୍ ୱାରେଂଟ ଜାରି ପାଇଁ ଟ୍ରାଏଲ କୋର୍ଟରେ ଆବେଦନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁମତି ଦେବାପରେ ପୁଣିଥରେ ଫାଶୀରୁ ବଂଚିବା ପାଇଁ ଆଜି ପୁଣି ଆଇନ ସହ ଖେଳିବାକୁ ଆରମ୍ଭ କରିଛନ୍ତି ।

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ପୱନ ଗୁପ୍ତା ଆଜି ଦିଲ୍ଲୀର ଅତିରିକ୍ତ ଦୌରାଜଜ୍‌ଙ୍କ ଅଦାଲତରେ ଏକ ମାମଲା ଆଗତ କରି କହିଛି ଯେ ମୋ ମାମଲା ଲଢ଼ିବା ପାଇଁ ମୁଁ ଓକିଲଙ୍କୁ ପରିବର୍ତନ କରିବାକୁ ଚାହୁଁଛି। କିନ୍ତୁ, ମୋତେ ଆଇନର ସହାୟତା ମିଳୁନାହିଁ। ତେଣୁ, ଆଇନ ସହାୟତା ଯୋଗାଇବା ସହ ନୂତନ ଓକିଲ ନିଯୁକ୍ତି ପର୍ଯ୍ୟନ୍ତ ମୋତେ ସମୟ ଦିଆଯାଉ।

ତେବେ, ଦୋଷୀ ପୱନ ଗୁପ୍ତା ପକ୍ଷରୁ ଆଗତ ଏ ମାମଲାର ତୀବ୍ର ବିରୋଧ କରିଥିଲେ ପୀଡିତା ନିର୍ଭୟାଙ୍କ ମା’ ଆଶାଦେବୀ ଓ ତାଙ୍କ ଓକିଲ। ନିର୍ଭୟାଙ୍କ ମା’ ଆଶାଦେବୀ ଭରପୂର ଅଦାଲତ ଭିତରେ ଭେଁ ଭେଁ ହୋଇ କାନ୍ଦିବା ସହ ବିଚାରପତିଙ୍କୁ କହିଥିଲେ ଯେ ଦୋଷୀ ସାବ୍ୟସ୍ତ ହୋଇ ସାରିଥିବା ଅପରାଧୀଙ୍କ ନ୍ୟାୟିକ ଅଧିକାରର ସବୁ ଦିଗକୁ ତନ୍ନ ତନ୍ନ କରି ବିଚାର କରାଯାଉଛି। ତେବେ, ପୀଡ଼ିତାର ମା’ ଭାବେ କ’ଣ ମୋର କୌଣସି ଅଧିକାର ନାହିଁ। କାଲି ପର୍ଯ୍ୟନ୍ତ ଦୋଷୀଙ୍କ ପାଖରେ ଓକିଲ ଥିଲେ କିନ୍ତୁ ଆଜି ମୁଁ ଯେତେବେଳେ ଡେଥ୍ ୱାରେଂଟ ଜାରି ପାଇଁ ତାରିଖ ମାଗୁଛି ସେତେବେଳେ ତାଙ୍କ ପାଖରେ ଓକିଲ ନାହାନ୍ତି। ଏପରିସ୍ଥିତିରେ ମୁଁ ଯୋଡ଼ହସ୍ତ ହୋଇ ବିଚାରପତିଙ୍କ ନିକଟରୁ ଜାଣିବାକୁ ଚାହୁଁଛି, ପୀଡ଼ିତାର ମା’ ଭାବେ ମୋର କିଛି ଅଧିକାର ଅଛି ନା ନାହିଁ? ଆଉ ମୋତେ ନ୍ୟାୟ ମିଳିବ ନା ନାହିଁ?

ଆଶାଦେବୀଙ୍କ ଯୁକ୍ତି ଶୁଣିବା ପରେ ଅତିରିକ୍ତ ଦୌରାଜଜ୍‌ ଧର୍ମେନ୍ଦ୍ର ରାଣା ଦୋଷୀ ପୱନ ଗୁପ୍ତା ପକ୍ଷରୁ ଆଗତ ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।