ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୪୮ ଘଣ୍ଟିଆ ପଶ୍ଚିମ ଓଡ଼ିଶା ମହାବନ୍ଦ

ସମ୍ବଲପୁର :  ପଶ୍ଚିମ ଓଡ଼ିଶା ଠପ୍ । ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୪୮ ଘଣ୍ଟିଆ ମହାବନ୍ଦ ପାଳନ କରୁଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ । ଯାହାର ପ୍ରଭାବ ଗୁରୁତର ଭାବେ ଦେଖିବାକୁ ମିଳିଛି । ପଶ୍ଚିମ ଓଡ଼ିଶାରେ ଟ୍ରେନ୍ ଚଳାଚଳ ବନ୍ଦ ଥିବା ବେଳେ ଗାଡ଼ିମୋଟର ଚଳାଚଳ ବ୍ୟାହତ ହୋଇଛି । ଦଳମତ ନିର୍ବିଶେଷରେ ପଶ୍ଚିମ ଓଡ଼ିଶାବାସୀ ବନ୍ଦରେ ସାମିଲ୍ ହୋଇଛନ୍ତି । ହେଲେ ଦୂରେଇ ରହିଛି ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲା ଓକିଲ ସଂଘ।

ପଶ୍ଚିମ ଓଡ଼ିଶାରେ ମହାବନ୍ଦର ପ୍ରଥମ ଦିନ । ସବୁ କିଛି ଠପ୍ । ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୮୦ ଦିନରୁ ଅଧିକ କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଆଭିମୁଖ୍ୟ କଡ଼ା କରିଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ । ପୂର୍ବରୁ କେବଳ ଓକିଲଙ୍କ ଆନ୍ଦୋଳନରେ ସୀମିତ ଥିବା ଏହି ଦାବି ଏବେ ବିଶାଳ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏ ହେଉଛି ସମ୍ବଲପୁର କ୍ଷେତରାଜପୁର ଷ୍ଟେସନର ଦୃଶ୍ୟ । ସକାଳୁ ସକାଳୁ ଶହ ଶହ ଲୋକ କରିଛନ୍ତି ରେଳ ରୋକ । ସେହିପରି ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ସରକାରୀ ଏବଂ ବେସରକାରୀ ଅଫିସକୁ ପିକେଟିଂ କରି ବନ୍ଦ କରିଥିଲେ ଆନ୍ଦୋଳନକାରୀ । ଗାଡ଼ିମୋଟର ଚଳାଚଳ ପୂରା ଠପ୍ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତାକୁ କଡ଼ା ସମାଲୋଚନା କରିଛନ୍ତି ଆନ୍ଦୋଳନକାରୀ । ଏହି ଜନ ଆନ୍ଦୋଳନକୁ ଦଳମତ ନିର୍ବିଶେଷରେ ମିଳିଛି ସମର୍ଥନ ।

ନିର୍ବାଚନ ପୂର୍ବରୁ ଓକିଲ ସଂଘ ଆରପାରର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଫାଟ କିନ୍ତୁ ପଦାରେ ପଡ଼ିଛି । ମହାବନ୍ଦରୁ ଦୂରେଇ ରହିଛନ୍ତି ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲା ଓକିଲ ସଂଘ । ନିଜ ନିଜ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ରହିଛନ୍ତି ସେଠାକାର ଓକିଲ ସଂଘ।ତେଣୁ ମହାବନ୍ଦରେ ସାମିଲ୍ ହୋଇ ନାହାନ୍ତି ।

ସ୍ଥାନ ଚିହ୍ନଟରେ ଅଟକିଛି ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ । ରାଜ୍ୟ ସରକାର, ହାଇକୋର୍ଟଙ୍କ ସହ ଆଲୋଚନା କରି ସ୍ଥାନ ଚିହ୍ନଟ କରିବା କଥା, ହେଲେ ଘଟଣା ନିହାତି ସମ୍ବେଦନଶୀଳ ହୋଇ ପଡ଼ିଥିବାରୁ ନିଷ୍ପତ୍ତି ହୋଇପାରୁନି । ବିଜେପି ଓ କଂଗ୍ରେସ, ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା କହୁଛନ୍ତି । ବିଜେଡି କିନ୍ତୁ ଆଶ୍ବାସନା ଦେଇ ଚାଲିଛି ।