ଟିମ୍ ଇଣ୍ଡିଆକୁ ୨୬୮ ରନ୍‌ରେ ରୋକିଲା ୱେଷ୍ଟଇଣ୍ଡିଜ୍

ମ୍ୟାଞ୍ଚେଷ୍ଟର୍: ଟିମ୍ ଇଣ୍ଡିଆ ମଧ୍ୟକ୍ରମ ପୁଣିଥରେ ସମସ୍ୟା ହୋଇ ଦେଖା ଦେଇଛି। ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ଭେଟିଛି। ଏହି ମୁକାବିଲାରେ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୮ ରନ୍ କରିଛି। ଫଳରେ ୱେଷ୍ଟଇଣ୍ଡିଜକୁ ଏହି ମୁକାବିଲା ଜିତିବା ପାଇଁ ନିର୍ଦ୍ଧାରିତ ଓଭରରେ ୨୬୯ ରନ୍ କରିବାକୁ ପଡ଼ିବ।

ଭାରତ ପକ୍ଷରୁ ଓପନିଂ ଯୋଡ଼ି ପୁଣି ଫେଲ୍ ମାରିଥିବା ବେଳେ ମଧ୍ୟକ୍ରମରେ ବିରାଟଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଶାମୁତାବକ ପ୍ରଦର୍ଶନ କରିପାରିନଥିଲେ। ତେବେ ଶେଷଆଡ଼କୁ ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ରନ୍ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ବିରାଟ୍ ୮୨ ବଲରେ ୮ ଚୌକା ସହ ୭୨ ରନ୍ କରିଥିଲେ।

ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଅଧିନାୟକ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଲୋକେଶ ରାହୁଲ ଭଲ ଆରମ୍ଭ କରିଥିଲେ। ରୋହିତ୍ ଭଲ ଖେଳିଆସୁଥିବା ବେଳେ ତାଙ୍କୁ କେଚାର ରୋଚ୍ ପ୍ୟାଭିଲିୟନ୍ ପଠାଇଥିଲେ। ରୋହିତ୍ ୨୩ ବଲରେ ୧ ଚୌକା ଓ ୧ ଛକା ସହ ୧୮ ରନ୍ କରିଥିଲେ।