ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ଏନଡିଏର ଉପ ରାଷ୍ଟ୍ରପତି ପ୍ରାର୍ଥୀ

ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି,

ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନ ନେଇ  ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ନିଜର ପ୍ରାର୍ଥୀ ଘୋଷଣା କରିଛି ।  ବିଜେପି ଜଗଦୀପ ଧନଖଡଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ଧନଖଡ ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ଅଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି । ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ଦିଲ୍ଲୀରେ ସଂସଦୀୟ ବୋର୍ଡର ବୈଠକ ବସିଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, ନୀତିନ ଗଡକରୀ, ରାଜନାଥ ସିଂହ ଏବଂ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗ ଦେଇଥିଲେ । ଆଲୋଚନା ପରେ ଧନଖଡଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଆଜି ଅପରାହ୍ନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ।

ଏହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ତେବେ ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ସମ୍ଭାବିତ ପ୍ରାର୍ଥୀ ଦୌଡରେ ନଥିଲେ ଜଗଦୀପ ଧନଖଡ । ପୂର୍ବତନ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ମୁକ୍ତାର ଅବାସ ନକଭି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ, କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ରହିଥିଲେ । ହେଲେ ବିଜେପି ଜଗଦୀପ ଧନଖଡଙ୍କୁ ପ୍ରାର୍ଥୀ କରି ସଭିଙ୍କୁ ଚକିତ କରିଛନ୍ତି ।

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବାକୁ ଯାଉଛି । ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବାର ଶେଷ ତାରିଖ ହେଉଛି ଜୁଲାଇ ୧୯ । ଜୁଲାଇ ୨୦ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨୨ ପର୍ଯ୍ୟନ୍ତ ରହିଛି । ଦେଶର ପରବର୍ତ୍ତୀ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଗଷ୍ଟ ୬ରେ ମତଦାନ ହେବ ।

west bengal governor jagdeep dhankhar NDA viice presiidential candidate