ଆହତ ଡାକ୍ତରଙ୍କୁ ଭେଟିବେ ମମତା!

କୋଲକାତା: ପଶ୍ଚିମବଙ୍ଗରେ ଦୁଇ ଜଣ ଜୁନିୟର ଡାକ୍ତରଙ୍କୁ ମରଣାନ୍ତ ଆକ୍ରମଣ କରିବା ଘଟଣା ବିରୋଧରେ ପୂରା ଦେଶରେ ଡାକ୍ତରଙ୍କ ମହଲରେ ଆକ୍ରୋଶ ଭରି ରହିଛି। ଜାଗା ଜାଗାରେ ଧାରଣ ପ୍ରଦର୍ଶନ ଓ ହଡ଼ତାଳ ଜାରି ରହିଛି। ଏହା ମଧ୍ୟରେ ଶୁକ୍ରବାର ରାତିରେ ସରକାରଙ୍କ ପକ୍ଷରୁ ହଡ଼ତାଳ କରୁଥିବା ଡାକ୍ତରଙ୍କ ସହିତ ଆଲୋଚନା ପାଇଁ ପ୍ରୟାସ କରାଯାଇଥିଲା, ମାତ୍ର ଡାକ୍ତରମାନେ ନିଜ ଜିଦରେ ଅଟଳ ଥିଲେ ଯେ ମୁଖ୍ୟମନ୍ତ୍ରୀ ଏନଆରଏସ ମେଡିକାଲ କଲେଜ୍ ଆସି ସେମାନଙ୍କର ସମସ୍ୟା ଶୁଣନ୍ତୁ। ଏହା ମଧ୍ୟ କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କ କଥା ମାନି ନେଇଛନ୍ତି ଏବଂ ସେ ଡାକ୍ତରଙ୍କୁ ଭେଟିବା ପାଇଁ ଏନଆରଏସ ମେଡିକାଲ କଲେଜ୍ ଆସି ପାରନ୍ତି। ଅନ୍ୟ ପଟେ ଏମ୍ସ ଦିଲ୍ଲୀର ରେଜିଡେଣ୍ଟ ଡାକ୍ତର ଶନିବାର କାମକୁ ଫେରିଛନ୍ତି। ତଥାପି ସେମାନଙ୍କର ସାଙ୍କେତିକ ବିରୋଧ ଜାରି ରହିଛି। କଳା ବ୍ୟାଚ୍ ପିନ୍ଧି ସେମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ, ଏନଆରଏସ ମେଡିକାଲ  କଲେଜରେ ଚିକିତ୍ସା ସମୟରେ ଜଣେ ୭୫ ବର୍ଷୀୟ ବୁଦ୍ଧଙ୍କ ମୃତ୍ୟୁ ଘଟିବା ପରେ ସେମାନଙ୍କର ପରିଜନ ଡାକ୍ତରଙ୍କ ଉପରେ ମରଣାନ୍ତ ଆକ୍ରମଣ କରିଥିଲେ। ଏହି ମାମଲାରେ ଦୁଇ ଜଣ ଡାକ୍ତର ଗୁରୁତର ଆହତ ହୋଇଥିଲେ। ଡାକ୍ତର ଜଣଙ୍କର ଅବସ୍ଥା ଏବେ ମଧ୍ୟ ଗମ୍ଭୀର ରହିଛି। ଶୁକ୍ରବାର ରାତି ୧୧ଟା ୪୫ ମିନିଟରେ ରାଜ୍ୟର ସମସ୍ତ ସହରର ମେଡିକାଲ କଲେଜ ଡାକ୍ତରଙ୍କ ବୈଠକ ହୋଇଥିଲା। ଏଥିରେ ସାମିଲ  ଅଧିକାଂଶ ଡାକ୍ତର ସରକାରଙ୍କ ଚୁକ୍ତି ମାନିବାକୁ ମନା କରି ଦେଇଥିଲେ।

ଶୁକ୍ରବାର ମମତା ବାନାର୍ଜୀ ପୁଣି ଥରେ ଡାକ୍ତରଙ୍କୁ କାମରେ ଯୋଗ ଦେବାକୁ ଅପିଲ କରି କହିଥିଲେ ଯେ, ଶୀଘ୍ର ରୋଗୀଙ୍କ ଚିକିତ୍ସା ଆରମ୍ଭ କରନ୍ତୁ। ସୂତ୍ର ମୁତାବକ ଶୁକ୍ରବାର ସରକାରଙ୍କ ପକ୍ଷରୁ ଏନଆରଏସ ମେଡିକାଲ  କଲେଜର ଆନ୍ଦୋଳନକାରୀ ଡାକ୍ତରଙ୍କ ସହିତ ଆଲୋଚନା କରିବାର ପ୍ରସ୍ତାବ ଆସିଥିଲା। ଡାକ୍ତରଙ୍କୁ କୁହାଯାଉଥିଲା ଯେ, ସେମାନେ ରାଜ୍ୟ ସଚିବାଳୟ ଆସି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରନ୍ତୁ। ମାତ୍ର ଡାକ୍ତର ଏହାକୁ ମନା କରି ଦେଇଥିଲେ। ଅନ୍ୟ ପଟେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ମମତା ବାନାର୍ଜୀଙ୍କୁ ଉପଦେଶ ଦେଇ କହିଛନ୍ତି ଯେ,ଏହି ମାମଲାକୁ ପ୍ରତିଷ୍ଠାର ବିଷୟ ନବନାନ୍ତୁ।