ମୁର୍ଶିଦାବାଦରେ ସିଏଏ ହିଂସା: ୨ ମୃତ, ୫ ଗୁରୁତର

କୋଲକାତା: ସିଏଏକୁ ନେଇ ପଶ୍ଚିମବଙ୍ଗରେ ହିଂସା । ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ରେଜିଷ୍ଟ୍ରର (ଏନଆରସି)କୁ ନେଇ ପଶ୍ଚିମବଙ୍ଗରେ ପ୍ରଦର୍ଶନ ହିଂସାର ରୂପ ନେଇଛି । ମୁର୍ଶିଦାବାଦର ଜଲାଙ୍ଗୀ ଅଂଚଳରେ ବୁଧବାର ତୃଣମୂଳ କଂଗ୍ରେସ ନେତା ଓ ସ୍ଥାନୀୟ ଲୋକ ମୁହାଁମୁହିଁ ହେବା ଫଳରେ ଆନ୍ଦୋଳନ ହିଂସାରେ ପରିବର୍ତିତ ହୋଇଥିଲା । ଏହି ହିଂସାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି ।

ମୃତ ଦୁଇ ଜଣ ହେଉଛନ୍ତି ଅନିରୁଦ୍ଧ ବିଶ୍ବାସ ଓ ମକବୁଲ ଶେଖ୍ । ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ବେଳେ ସେଠାରେ ଥିବା ଟିଏମସି ନେତା ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ସ୍ଥାନୀୟ ଲୋକ ସିଏଏକୁ ନେଇ ପ୍ରତିବାଦ କରିବା ସହ ରାସ୍ତାରୋକ କରିଥିଲେ । ଫଳରେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ରାସ୍ତା ଖାଲିବା ପାଇଁ କହିଥିଲେ । ଏହାପରେ ମାମଲା ବିଗିଡି ଯାଇଥିଲା ଓ ପରସ୍ପର ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ପ୍ରଦର୍ଶନକାରୀଙ୍କୁ ଅଟକାଇବା ପାଇଁ ପୋଲିସ ଗୁଳିମାଡ କରିଥିଲା ।

ତେବେ ଏଯାବତ୍ କାହାକୁ ଗିରଫ କରାଯାଇ ନାହିଁ । ପଶ୍ଚିମବଙ୍ଗରେ ହିଂସାକୁ ନେଇ କଂଗ୍ରେସ ନେତା ତଥା ସାଂସଦ ଅଧିର ରଞ୍ଜନ ଚୌଧୁରୀ ଟିଏମସି ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ଟିଏମସି କାର୍ଯ୍ୟକର୍ତାଙ୍କ ଉପରେ ବୋମା ଓ ବନ୍ଧୁକ ନେଇ ଆକ୍ରମଣ କରିଛନ୍ତି । ଦଳର ନେତା ମଧ୍ୟ ହତ୍ୟାକାରୀ, ସେ ନାଗରିକଙ୍କ ଉପରେ ଆକ୍ରମଣ କରିଥିବା କହିଛନ୍ତି କଂଗ୍ରେସ ନେତା ।