ଚାଷୀଙ୍କ ପାରିଶ୍ରମିକ ମୂଲ୍ୟକୁ ବଢାଇବା ପାଇଁ ଉଚିତ୍‌ ପଦକ୍ଷେପ ନେଉଛନ୍ତି ମୋଦି ସରକାର – ଧର୍ମେନ୍ଦ୍ର ପ୍ରଧାନ

ଧାନ ସମେତ ଖରିଫ ଫସଲର ଏମ୍‌ଏସ୍‌ପି ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର :  ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ଏବଂ ଅନ୍ନଦାତାଙ୍କୁ ଦିଆଯାଇଥିବା ପ୍ରତିଶୃତିକୁ ପୂରଣ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବର୍ଷ ୨୦୨୧-୨୨ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିବା ପାଇଁ ମଞ୍ଜୁର ଦିଆଯିବା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ଏମ୍‌ଏସ୍‌ପି ବୃଦ୍ଧି କ୍ୟାବିନେଟ ମଞ୍ଜୁରୀ ପାଇଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ
 ଧାନର ଏମଏସପି କ୍ୱିଂଟାଲ ପିଛା ୭୨ ଟଙ୍କା ବୃଦ୍ଧି ଓଡିଶା ଚାଷୀଙ୍କୁ ଲାଭ ଦେବ
 ଚଳିତବର୍ଷ ଓଡିଶାର ଚାଷୀଙ୍କ ଠାରୁ ୧୩ ହଜାର ୯୪୮.୬ କୋଟି ଟଙ୍କା ମୂଲ୍ୟର ଧାନ କ୍ରୟ କରିବେ ମୋଦି ସରକାର
 ମୋଟ ୭୧.୯ ଲକ୍ଷ ମେଟ୍ରିକ୍ ଟନ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ
 ଚାଷୀଙ୍କ ଆୟକୁ ଦୁଇ ଗୁଣିତ କରିବା ଦିଗରେ ମହତ୍ୱପୂର୍ଣ୍ଣ ପଦକ୍ଷେପ
ଏ ସଂକ୍ରାନ୍ତୀୟ କ୍ୟାବିନେଟ ନିଷ୍ପତି ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଚାଷୀଙ୍କ ପାରିଶ୍ରମିକ ମୂଲ୍ୟକୁ ବଢାଇବା ପାଇଁ ମୋଦି ସରକାର ଉଚିତ୍ ପଦକ୍ଷେପ ନେଉଛନ୍ତି । ଦେଶର ବିଭିନ୍ନାଂଚଳରେ ଚାଷ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ଫସଲ ମଧ୍ୟରୁ ଅନ୍ୟତମ ଧାନର ଏମଏସପି ୨୦୨୧- ୨୨ ବର୍ଷ ପାଇଁ କ୍ୱିଂଟାଲ ପିଛା ଅଧିକ ୭୨ ଟଙ୍କା ବୃଦ୍ଧି କରାଯାଇଛି । ପୂର୍ବରୁ ଧାନ ବିକ୍ରି କରି କ୍ୱିଂଟାଲ ପିଛା ୧୮୬୮ ଟଙ୍କା ପାଉଥିବା ଚାଷୀ ଏଣିକି କ୍ୱିଂଟାଲ ଧାନ ବିକି ୧୯୪୦ ଟଙ୍କା ପାଇପାରିବେ । ଚାଷୀଙ୍କ ଆୟକୁ ଦୁଇ ଗୁଣିତ କରିବା ଦିଗରେ ମୋଦି ସରକାରଙ୍କ ଏହା ମହତ୍ୱପୂର୍ଣ୍ଣ ପଦକ୍ଷେପ । ବର୍ଷ ୨୦୨୧-୨୨ ପାଇଁ ଖରିଫ ଫସଲ ବିଶେଷ ଭାବରେ ଧାନର ଏମଏସପି କ୍ୱିଂଟାଲ ପିଛା ୧୯୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସମସ୍ତ ଖାଦ୍ୟ ସାମଗ୍ରୀର କ୍ୱଂଟାଲ ପିଛା ଏମ୍‌ଏସ୍‌ପି ମୂଲ୍ୟ ବୃଦ୍ଧି କରାଯାଇଛି । ଧାନ (ଗ୍ରେଡ୍ ଏ)ର ଏମ୍‌ଏସ୍‌ପି ୧୮୮୮ ଟଙ୍କାରୁ ୧୯୬୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଜନା ୨୬୨୦ରୁ ୨୭୩୮ ଟଙ୍କା, ବାଜରା ୨୧୫୦ରୁ ୨୨୫୦ ଟଙ୍କା, ମାଣ୍ଡିଆ ୩୨୯୫ରୁ ୩୩୭୭ ଟଙ୍କା, ମକା ୧୮୫୦ ଟଙ୍କାରୁ ୧୮୭୦ ଟଙ୍କା, ହରଡ ଡାଲି ୬୦୦୦ ଟଙ୍କାରୁ ୬୩୦୦ ଟଙ୍କା, ମୁଗର ଏମଏସପି ୭୧୯୬ ଟଙ୍କାରୁ ୭୨୭୫ ଟଙ୍କା ତଥା ଅନ୍ୟାନ୍ୟ ଖରିଫ ଫସଲର ଏମଏସପି ମଧ୍ୟ ବୃଦ୍ଧି କରାଯାଇଛି । ଧାନ ପାଇଁ ବର୍ଦ୍ଧିତ ଏମ୍‌ଏସ୍‌ପି ଲାଗୁ କରିବା ପାଇଁ କେନ୍ଦ୍ର ସରକାର ୭ ହଜାର
୫୬୩ କୋଟି ଟଙ୍କା ଖର୍ଚ୍ଚ କରିବେ ।
ଶ୍ରୀ ପ୍ରଧାନ କହିଛନ୍ତି ଆତ୍ମନିର୍ଭର ଭାରତର ପ୍ରମୁଖ ସ୍ତମ୍ଭ ହେଉଛନ୍ତି ଚାଷୀ । ଖରିଫ ଋତୁ ପାଇଁ ଏମଏସପି ବୃଦ୍ଧି ସେମାନଙ୍କ ଚାଷ ଖର୍ଚ୍ଚକୁ ଭରଣା କରିବା ସହ ଆୟକୁ ମଧ୍ୟ ବୃଦ୍ଧି କରିବ । ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ଉତର ପ୍ରଦେଶ, ପଞ୍ଜାବ, ହରିୟାଣା, ତାମିଲନାଡ଼ୁ ଓ ତେଲେଙ୍ଗାନା ଭଳି ଅଧିକ ଧାନ ଉତ୍ପାଦନକାରୀ ରାଜ୍ୟ ଗୁଡ଼ିକର ଚାଷୀମାନେ ବିଶେଷ ଭାବେ ଉପକୃତ ହେବେ ।
ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀ ଭାଇଙ୍କ ସ୍ୱାର୍ଥ ଓ କଲ୍ୟାଣକୁ ଦୃଷ୍ଟିରେ ରଖି ବର୍ଷ ୨୦୨୦-୨୧ରେ ୬ ହଜାର ୫୪୯.୨ କୋଟି ଟଙ୍କା ମୂଲ୍ୟର ୩୫.୬ ଲକ୍ଷ ମେଟ୍ରିକ୍ ଟନ୍‌ ଧାନ କ୍ରୟ କରିଥିଲେ । ବର୍ଷ ୨୦୨୧-୨୨ ପାଇଁ ଏହି ଲକ୍ଷ୍ୟକୁ ବଢ଼ାଯାଇ ୧୩ ହଜାର ୯୪୮.୬ କୋଟି ଟଙ୍କା ମୂଲ୍ୟର ୭୧.୯ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାର ଚାଷୀଙ୍କୁ ଭାରତ ସରକାର ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ୭୩୯୯.୪ କୋଟି ଟଙ୍କା ମୂଲ୍ୟର ୩୮.୮୪ ଲକ୍ଷ ମେଟ୍ରିକ୍ ଟନ ଅଧିକ ଧାନ କିଣିବା ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ଓଡ଼ିଆ ଚାଷୀଙ୍କ ଆୟ ଦୁଇ ଗୁଣା କରିବା ସହ ସେମାନଙ୍କୁ ଆତ୍ମନିର୍ଭର କରିବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।