୨୭ତମ ଏକଲବ୍ୟ ପୁରସ୍କାର ପାଇବେ ଝିଲି ଦଳବେହେରା

ଯବାମଣୀ ଟୁଡୁ ଓ ନମିତା ଟୋପ୍ପୋ ଉପବିଜେତା

ଭୁବନେଶ୍ୱର: ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରୋତଳକ ଝିଲି ଦଳବେହେରା ୨୦୧୯ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୨୭ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଇଛି ।

ଝିଲି ଦଳବେହେରା, ୦୧.୦୪.୨୦୧୭ ରୁ ୩୧.୦୩.୨୦୧୯ ମଧ୍ୟରେ ଆର୍ନ୍ତଜାତୀୟ ପ୍ରତିଯୋଗିତାରେ ୨ ସ୍ୱର୍ଣ୍ଣ, ୩ ରୋପ୍ୟ ଓ ୧ ବ୍ରୋଞ୍ଜ୍ ପଦକ ଜିଣି ନିଦ୍ୱର୍ନ୍ଦରେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ ଉତ୍ସବରେ ସେ ୫ ଲକ୍ଷ ଟଙ୍କା ଓ ମାନପତ୍ରରେ ପୁରସ୍କୃତ ହେବେ । ତାଙ୍କ ସହ ଦୁଇ ଉପବିଜେତା; ଫୁଟବଲ ଖେଳାଳୀ ଯବାମଣୀ ଟୁଡୁ ଓ ପ୍ରସିଦ୍ଧ ହକି ଖେଳାଳୀ ନମିତା ଟୋପ୍ପୋ, ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଓ ମାନପତ୍ର ଦ୍ୱାରା ସମ୍ମାନିତ କରାଯିବ ।

ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କମ୍ପାନି ଇମ୍ଫା ଗ୍ରୁପ୍ ଦ୍ୱାରା ପରିଚାଳିତ “ଇଣ୍ଡିଆନ୍ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ(ଇମ୍ପାକ୍ଟ)” ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡାବିତ୍ ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ । ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବା ଅବସରରେ “ଇମ୍ପାକ୍ଟ”ର ଟ୍ରଷ୍ଟୀ ତଥା ଲୋକସଭା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ । ଯାହାଫଳରେ ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡା ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିପାରିବେ । କ୍ରୀଡା ବ୍ୟତୀତ ସାହିତ୍ୟ, କଳା, ସ୍ଥାପତ୍ୟ ଓ ସ୍ୱାସ୍ଥ୍ୟସେବା ଆଦିକୁ ଆମର ଏହି ଟ୍ରଷ୍ଟ ପ୍ରୋତ୍ସାହନ ପ୍ରଦାନ କରିଥାଏ, ଯାହା ଆଗକୁ ଜାରି ରହିବ ।