ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ବିବାହ ଉତ୍ସବ

ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ ଓ ମହାପ୍ରଭୁଙ୍କ ବିବାହ ଉତ୍ସବ। ମହାପ୍ରଭୁଙ୍କ ବିବାହ ଉତ୍ସବ  ଅବସରରେ ଶ୍ରୀମନ୍ଦିର ଚାରିଦ୍ୱାରରେ ତେଲିଙ୍ଗି ବାଜା ବାଜୁଛି । ଜଗତ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ହୋଇଥିବାରୁ ଭୋର ୨ଟା ୩୭ମିନିଟରେ ମହାପ୍ରଭୁଙ୍କ ଦ୍ବାର ଫିଟା ନିତି ଅନୁଷ୍ଠିତ ହୋଇଥିଲା । ଏହାପରଠୁ ମହାପ୍ରଭୁଙ୍କର ବିଭିନ୍ନ ନିତିକ୍ରାନ୍ତି କରାଯାଉଛି । ଆଜି ମହାପ୍ରଭୁଙ୍କ ନିକଟରେ ସର୍ବାଧିକ ୪୪ ନିତିକ୍ରାନ୍ତି କରାଯିବ ବୋଲି ଜଣାପଡିଛି । ନିତି ନିର୍ଘଣ୍ଟ ଅନୁସାରେ ମଙ୍ଗଳଆଳତୀ, ମଇଲମ, ଅବକାଶ ଆଦି ନିତି ବଢି ଗୋପାଳବଲ୍ଲଭ, ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ ଆଜ୍ଞାମାଳ ପାଇ ସାତପାହାଚ ନିକଟରେ ପାଲିଙ୍କିରେ ବସି ଜଗମୋହନକୁ ବିଜେ କରିବେ। ଏହାପରେ ମହାସ୍ନାନ ବଢି ମାଜଣା,ବନକଲାଗି ଏବଂ ଅଳଙ୍କାର ଲାଗି କରାଯିବା ପରେ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଚିଠି ଲେଖିବେ।