୯ଯାଏଁ ଓଡ଼ିଶାକୁ ଭିଜାଇବ ବର୍ଷା; ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ସକାଳୁ କିଛି ସ୍ଥାନରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଏଭଳି ପ୍ରଭାବ ଆସନ୍ତା ୯ ଯାଏଁ ଏଭଳି ରହିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତା’ସହିତ ଘଡ଼ଘଡ଼ି ଓ କୁଆପଥର ନେଇ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ସମ୍ୱଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ଢେଙ୍କାନାଳ। ସେହିପରି ୧୩ଟି ଜିଲ୍ଲାରେ  ୩୦ରୁ ୪୦ କିମି ବେଗରେ ପବନ ବୋହିବା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ, ନୟାଗଡ଼ ଓ ବୌଦ୍ଧ। ତେବେ ଆକାଶରୁ ମେଘ ଛାଡ଼ି ଗଲା ପରେ ଗୋଟିଏ ଦୁଇଟି ସ୍ଥାନରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀକୁ ହ୍ରାସ ପାଇବାର ସମ୍ଭାବନା ରହିଛି।

ଅନ୍ୟପଟେ କିଛି ସ୍ଥାନରେ ବଜ୍ରପାତ ନେଇ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି । ବର୍ଷା ଓ ବଜ୍ରପାତ ନେଇ ଆଲର୍ଟ ରହିବାକୁ ଜିଲ୍ଲାପାଳମାନଙ୍କ ପରାମର୍ଶ ଦିଆଯାଇଛି। ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ଥିବାରୁ ସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଘନ କୁହୁଡ଼ି ପଡ଼ିଥିଲେ ପୁଲିସ୍‌ ଓ ପରିବହନ ଅଧିକାରୀଙ୍କ ସହାୟତାରେ ହାଇୱେରେ ଗାଡ଼ି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବର୍ଷା ତଥା କୁହୁଡ଼ିଜନିତ ଅଘଟଣ ଘଟିଲେ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ୧୭.୦ ମିମି, ବୌଦ୍ଧରେ ୧୬.୨ ମିମି, ସୋନୁପରରେ ୬.୭ ମିମି, ଫୁଲବାଣୀରେ ୭.୬ ମିମି, କଟକ, ମୟୂରଭଞ୍ଜ ଓ ଭାବନୀ ପାଟଣାରେ ୪.୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।