ଶତକ ମାରିଲେ ଶିଖର ଧୱନ

ଲଣ୍ଡନ: ଭାରତୀୟ ଓପନର ଶିଖର ଧାଓ୍ଵାନ ପୁଣି ଥରେ ଫର୍ମକୁ ଫେରିଛନ୍ତି। ବାମହାତୀ ବ୍ୟାଟସ୍‌ମ୍ୟାନ ଅନେକ ଦିନରୁ ଏହି ସୁଯୋଗ ଖୋଜୁଥିବା ବେଳେ ଆଜି ଅଚାନକ ତାହା ପାଇଛନ୍ତି। ବିଶ୍ୱକପ-୨୦୧୯ ପାଇଁ ଆୟୋଜିତ ପ୍ରଥମ ୨ଟି ଅଭ୍ୟାସ ମ୍ୟାଚ୍‌ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ଧାଓ୍ଵନ୍‌ ଭଲ ସ୍କୋର କରି ନଥିଲେ ବି ଲଣ୍ଡନର ଓଭାଲ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଫର୍ମକୁ ଫେରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ବିଶ୍ୱକପ୍‌ର ୧୪ ତମ ମ୍ୟାଚ୍‌ରେ ଶିଖର ଧାଓ୍ଵନ ରବିବାର ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ (୧୦୦ ରନ, ୯୫ ବଲ, ୧୩ ଚୌକା) ହାସଲ କରିଛନ୍ତି। ପୂର୍ବରୁ ଧାଓ୍ଵନ ଆଜି ୫୩ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଆରମ୍ଭରୁ ମନ୍ଥର ଗତିରେ ଖେଳି ଧୀରେ ଧୀରେ ରନ୍‌ ସ୍କୋର ହାର ଆଗକୁ ବଢ଼ାଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୩୩ ଓଭରରେ ରୋହିତ ଶର୍ମାଙ୍କୁ ହରାଇ ୧୯୦ ରନ୍‌ କରିଛି। ଧାଓ୍ଵନଙ୍କ ସହିତ କ୍ରିଜରେ ଅଧିନାୟକ ବିରାଟ କୋହଲି ଅଛନ୍ତି।